ଆସିକା ବୁଡ଼: ଏକ ଜୀବନ୍ତ ଯାତ୍ରା



ପାଟ ଢ଼ୋଲ ବାଜୁଥାଏ। ଢଙ୍ଗ ଢଙ୍ଗ ଢଙ୍ଗ ଶବଦରେ ପ୍ରତିଧ୍ୱନିତ ଗାଁ। ଶନିବାର ଦ୍ୱାଦଶୀ ତିଥି ଶତଭିଷା କୁମ୍ଭ ୬ ଅପ୍ରେଲ ୨୦୨୪ ରେ ମହାବାରୁଣୀ ସଙ୍ଗମରେ ସ୍ନାନ। "ଆସିକା ବୁଡ଼” ନାମରେ ଜନପ୍ରିୟ", ବାରୁଣୀ ତିଥିରେ ବଡ଼ନଦୀ ପୁଣ୍ୟତୋୟା ଋଷିକୂଲ୍ୟା ସଙ୍ଗମ ସ୍ନାନରେ ପାପରୁ ମୁକ୍ତି। ଅସ୍ତି ବିସର୍ଜନ ପାଇଁ ଏକ ଦିବ୍ୟ ସଙ୍ଗମ। ଜନଗଣ ତିଳ ତର୍ପଣ କରି ପୂର୍ବ ପୁରୁଷଙ୍କୁ ସ୍ମରଣ କରନ୍ତି। ବାଲ୍ୟାବସ୍ଥାରୁ ଯୁବ ବୟସ ପଯ୍ୟନ୍ତ ବୁଡ଼ ମେଳାର ଏକ ଜୀବନ୍ତ ଯାତ୍ରା। ବିଶ୍ୱ ମହାମାରୀ କୋଭିଡି -୧୯ ରୁ ମୁକ୍ତି ପାଇଗଲୁ! ଏବେତ ୬୦ ପାର! ତୀର୍ଥସ୍ଥଳ ବୁଲାବୁଲି ପାଇଁ ମନରେ ବ୍ୟାକୁଳ ହେଉଥାଏ।

ମହାବାରୁଣୀ ସ୍ନାନ ହିନ୍ଦୁଧର୍ମର ଏକ ପରମ୍ପରା ବିଶ୍ୱାସ। ଆମ ରାଇଜର ଋଷିକୂଲ୍ୟା ନଈ ସଙ୍ଗମ ବୈତରଣୀ ଓ ମହେନ୍ଦ୍ରତନୟା ଅନନ୍ୟ । ତାଠୁ ବଳିଗଲେ  ଗଙ୍ଗା ,ଯମୁନା ,ଗୋଦାବରୀ ,ସରସ୍ବତୀ ,ନର୍ମଦା ସିନ୍ଧୁ କାବେରୀ 
ବାରୁଣୀ ପଦଟି ସ୍ୱୟଂ ଦେବୀ ଲକ୍ଷ୍ମୀଙ୍କୁ ସୂଚିତ କରେ। ଗଙ୍ଗା ନଦୀକୁ ମା ଗଙ୍ଗା କୁହାଯାଏ
                                                          
👉ବାଟେ ଘାଟେ::କୋଶ ଦୂର ସଙ୍ଗମ। ଋଷିଶୃଙ୍ଗ ଅଙ୍କାବଙ୍କା ତୃଣପ୍ରାନ୍ତ କନ୍ଦରରୁ କୁଳୁକୁଳୁ ନାଦରେ ଦୟା ଧର୍ମ,ପ୍ରେମକୁ ପଖାଳି ସଙ୍ଗମରେ ପୁଣ୍ୟତୋତୋୟା ଋଷିକୂଲ୍ୟା। ଗାଁ ପୁରୋହିତ ଶ୍ରୀ ପ୍ରଦୀପ ଦାସଙ୍କୁ ଠୁ ପରାମର୍ଶ ଲୋଡ଼ିଲୁ। ସେ କାନ କାନରେ କହିଲେ। ଗୁରୁବାକ୍ୟ ! କିପରି ଅବଜ୍ଞା କରିବୁ! ସସ୍ତ୍ରୀକ ବିଚାର କଲୁ। ପାହାନ୍ତି ପ୍ରହରୀରେ ଦୁହେଁ ସଜ୍ଜ। ଗାଁ ଦଣ୍ଡଯାତ୍ରା ତଳ ସାହିରେ ଢୋଲ ଶବଦରେ ଜମା ନିଦ ନଥିଲା। ଟୁନା କରଣ ଅଟୋ ମାଲିକ, ସେ ଚାଳକ; ବୁଡ଼ ଭ୍ରମଣରେ ଆଲୋକ ଦେଖିଲୁ। ଶ୍ରଦ୍ଧାଳୁ ଆସିକା ବୁଡ଼ ମୁହାଁ। ପାଦ ଚଲାରେ ଧାର୍ମିକ ସ୍ଥଳ ଓ ମନ୍ଦିର ଦର୍ଶନରେ ପୁଣ୍ୟ ମିଳେ!କେଉଁ କାଳରୁ ସ୍ଥାନୀୟଙ୍କ ମନରେ ବସା ବାନ୍ଧିଥାଏ! ମୁଖ୍ୟ ସଡ଼କରେ ଅଟୋ ମନ୍ଥର ଗତିରେ ବଢୁଥାଏ। ତୀର୍ଥଯାତ୍ରୀ ଗୁଡ଼ୁ ଶଗଡ଼,ସାଇକେଲ,ରିକ୍ସା ଅଟୋ 
ପରିବହନରେ ବୋଝେଇ। ଗାଁ ୩ ସନ୍ଧି ପାରକଲୁ।

ନୂଆଗାଁ ଚିନିକଳକୁ ପଛରେ ପକାଇ କଇଁଫୁଲିଆ ୩ ଛକିଆ। ଘୁଷୁରୀପାନ ଭାରି ବହଳ! ମକୁନ୍ଦପୁର ଉଠାଣିରେ ଅକସ୍ମାତ ଗର୍ଜନ କରି ଧୂଆଁ ଛାଡୁଥିଲା। ତା’ପରେ ବଡ଼ନଈ ପୋଲ ତଳେ ଧାରାଟିଏ ଜଳ। କେବଳ ଶୁଖିଲା ବାଲି ହିଁ ବାଲି! କାଶତଣ୍ଡୀ ଫୁଲର ସମ୍ଭାର। ଚଢ଼େୟା ସବୁଜ ଘାସ ନଈ ପଠାରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରୁଥାଏ। ଟ୍ରକ ଓ ଟ୍ରାକ୍ଟର' ବର୍ଷ ବର୍ଷରୁ ବାଲି ଘାଟରେ ଚଳଚଞ୍ଚଳ।

ଗାଁ'ଠୁ ପଲ୍ଲୀ ଛକ ପର୍ଯ୍ୟନ୍ତ ଧାଡ଼ି। ଦଳ ଦଳ ଶ୍ରଦ୍ଧାଳୁ ବାହୁଡ଼ି ଥିଲେ। ଫର୍କ୍କ ପିନ୍ଧା ବାଳିକା ପେଁକାଳି ବଜାଉଥିଲେ। ରଙ୍ଗିନ ବେଲୁନ ମାଳ ବାଟରେ ଦେଖିଲୁ। ଠାଏଁ ଠାଏଁ ଜଳଛତ୍ର। "ଜଳ ଦାନ ମହାପୁଣ୍ୟ" ପଂକ୍ତିକୁ ଯେମିତି ଶତପ୍ରତିଶତ କେଉଁ ଦୟାଳୁ ବ୍ୟକ୍ତି ପାଳନ କରୁଥିଲେ। ଆମକୁ ମାଲୂମ ନଥିଲା।

👉ପିଲାବୁଡ଼: ବିଜୁ ତ୍ରିକୋଣୀୟ ଛକରେ ପ୍ରତିକୃତୀ ଝଟକି ଥାଏ। ଶ୍ରଦ୍ଧାଳୁ ବହଳ! ପଲ୍ଲୀ ଛକ ଉଡ଼ନ୍ତା ପୋଲରୁ ଧୀରେ ଧୀରେ ତଳକୁ ଗଡୁଥାଏ। ବାମ ପାର୍ଶ୍ୱରେ ହସ୍ପିଟାଲ ଡ଼ାହାଣ ମୋଡ଼ରେ ଅସଲ ପଲ୍ଲୀ ଗାଁ। ଅଟୋ ନରମି ଯାଇଥିଲା। ସସ୍ତ୍ରୀକ ପାଦ ଚଲାରେ ବୁଡରେ ମଜ୍ଜିଗଲୁ। ପଲ୍ଲୀ ବୁଡ଼। ସ୍ଥାନୀୟ ସୁରକ୍ଷା ଅଧିକାରୀ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣରେ ବ୍ୟସ୍ତ। ବେରଙ୍ଗ ପସରା ପ୍ରଦକ୍ଷିଣ କଲୁ। 

👉କମ୍ବୁପାଣି ମଠ:କିଛି ଦୂରରେ କମ୍ବୁପାଣି ମଠ! ଏକ ଐତିହାସିକ କୀର୍ତ୍ତି ;ହିନ୍ଦୁଧର୍ମ ଛୁପି ରହିଥାଏ।
କାଉଭାଉ ,ପେଁ ପାଁ ଶବଦରେ ଦୁହେଁ ଯେମିତି କାଲା! ଭଗବାନ ଶ୍ରୀରାମ ଲଙ୍କା ଅଭିଯାନରେ ;ଆସିକା ଋଷିକୂଲ୍ୟା ତଟରେ ପଞ୍ଚ ଲିଙ୍ଗେଶ୍ୱର ଉଭା। ସ୍ଥାନୀୟଙ୍କ ଭକ୍ତି ଭାବ ବେଗ ସହ ଏବେବି ଜଡ଼ିତ। ଦାନଧର୍ମ ପାଇଁ "ଆସିକା ବୁଡ଼" ପ୍ରକୃତ ତିଥି ଶୁଭ ମାନନ୍ତି। 
 👉ସଙ୍ଗମ :ଗୋସେଇଁ କହିଥିଲେ ; ଦିଲିପ ଦୁହେଁ ସଙ୍ଗମର ଉତ୍ତର ବାଙ୍କକୁ ଆସିବ। ମାହାତ୍ମ୍ୟ କଣ ଛୁପିଥିଲା? ଆଜିଯାଏଁ ସନ୍ଦେହ ଘେରା। ସ୍ନାନରୁ ଶୁଦ୍ଧି ଓ ପାପରୁ ମୁକ୍ତି ମିଳେ। ପଣ୍ଡିତେ କହୁଥିଲେ ,ଆଂଠୁଏ ଜଳରେ ତିଳତର୍ପଣ ସ୍ମରଣ ପାଇଁ ଇସାରା। ସଙ୍ଗମର ଏନ୍ତୁଡ଼ିଶାଳ ଉତ୍ତର କୂଳରେ ଧୋତି ଗାମୁଚ୍ଛା ହଳେରେ କଛା। ଆଞ୍ଜୁଳା ଆଞ୍ଜୁଳା ୩ ଆଞ୍ଜୁଳାଜଳମିନତୀ ମୋ ସହ;ପୁରୋହିତ ମନ୍ତ୍ର ଉଚ୍ଚାରଣ କଲେ।🙏🙏🙏
We are chanting holy bath mantra, O Holy Rivers Ganga Yamuna Godavari and Sarswati, O Holy Rivers Narmada Sindhu and Kaveri, Please be present in this water.ॐ गंगेश्च यमुनेश्च गोदावरी सरस्वती नर्मदे सिंधु कावेरी जलसिंचन सन्निधा कुरु, ଓମ ଗଙ୍ଗେଶ୍ଚ ମୁନେଶ୍ଚ ଗୋଦାବରୀ ସରସ୍ବତୀ ନର୍ମଦେ ସିନ୍ଧୁ କାବେରୀ ଜଳସେଚୟ ସନ୍ନିଧା କୁରୁ 

 କେଇ ଜଳ ଟୋପା ଛିଞ୍ଚିଲେ। ଐଶ୍ୱରିକ ଭାବ ଜାଗ୍ରତ ହେଲା। ଉତ୍ତର ବାଙ୍କରେ ପିତୃପୁରୁଷଙ୍କୁ ତିଳତର୍ପଣରେ ମୁକ୍ତି ପ୍ରାପ୍ତ ହୁଏ। ଏଇତ ଯଜମାନ ପୁରୋହିତ ଭକ୍ତିଭାବ ସମ୍ପର୍କ! ତା'ଠୁ ପ୍ରାଚୀନ। ମୁନିଋଷି ଯଂଜ୍ଞ ଆଯୋଜନରେ ଜନ କଲ୍ୟାଣ କାମନା ନଜିର ରହିଥିଲା।ଗଙ୍ଗାଜଳ ଘରେ ଘରେ ସାଇତା ପୁଣ୍ୟତୋୟା ଋଷିକୂଲ୍ୟା  ବଡନଦୀ ସଙ୍ଗମର ଏକ ଧାର୍ମିକ ଓ ବୈଜ୍ଞାନିକ ନିବିଡ଼ତା 

ହାତଗଣତି ସାଧୁ ଜଟାଧାରୀ ସନ୍ଥ ଡୁବୁକି ମାରୁଥିଲେ। କମଣ୍ଡଳ,ତ୍ରିଶୂଳ ସୂରୁଜରେ ଶାନ୍ତ ମୁଦ୍ରାରେ। କେଉଁ ଗୁମ୍ଫାର ତପସ୍ୱୀ? ବାରୁଣୀରେ ଚଳଚଞ୍ଚ। ଉପରି ଭାଗର ଜଳରେ ଫେଣଯୁକ୍ତ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ କରୁଥିଲେ। ଅତିଥି ରାଜ୍ୟର ତୀର୍ଥଯାତ୍ରୀଙ୍କୁ ଦେଖିଲୁ। ଜାତିଧର୍ମ ନିର୍ବିଶେଷରେ ଏକାକାର। ବାଟେ ଘାଟେ ଗୋଟିଏ ବାର୍ତ୍ତା ପିତୃପୁରୁଷ ସ୍ମରଣେ।

ପକେଟ ମାରୁ! ଅମାନିଆ ମୌକା ଦେଖି ଛକା ମାରୁଥିଲେ। ହାବୁଡ଼ରେ ସ୍ୱେଚ୍ଛାସେବୀ। ବକ୍ଷରେ ରିବିନି ଫର ଫର ମାଛ ଲାଞ୍ଜ ପରି ଉଡୁଥିଲା। ତାହାଠୁ ବଳିଗଲେ ସୁରକ୍ଷା ବାହିନୀ। ଅହରହ ପଇଁତରା ମାରୁଥିଲେ। ଶୃଙ୍ଖଳିତ ବାରୁଣୀ ଦାୟିତ୍ୱ ୧୦୦ ପ୍ରତିଶତ। ବଡ଼ବୁଡ଼ ଖଣ୍ଡେ ଦୂର।

👉ବଡ଼ବୁଡ଼ : ପିଲେ ଝୁମୁଥିଲେ। ମେଳାରେ ଭ୍ରମଣକାରୀଙ୍କ ଭିଡ଼। ପସରା ତାଟର ଆସର ଅବର୍ଣ୍ଣନୀୟ। ମିଠେଇ ,ବେଲୁନ ଭେଳିକି ଭେଳି। ଟୁକରୁ ମୁକୁରୁ ଘର କରଣା ପାଇଁ ବୁଡ଼ ହିଁ ବିକଳ୍ପ! ଧର୍ମପତ୍ନୀ ତାଳବୃନ୍ତ ୨ଟି ପସନ୍ଦ କଲେ। ଚଣା ୫ କିସମର।

ବୁଡ଼ ଯାତ୍ରାରେ ଚଣା ଖାଇବା ଏକ ଲୋକ କଥା ଛୁପିଥିଲା। ଜେଜେ କହୁଥିଲେ ,ନଖାଇଲେ କାଲା ହୋଇଯିବ। ଆମେ ତ’ଚଣା ଖାଇଲୁ ,କାଲା ପଣକୁ ଦୁରେଇ ଦେଲୁ। ବୁଡ଼ ପର୍ବରେ ଦ୍ରାକ୍ଷା ବୋଉ ଘରେ ଛାଣୁଥିଲେ। ସ୍ୱାଦ ଆଜି ଯାଏଁ ମନପଡେ଼! ସେ’ତ ଆରପୁରେ। ସେଥି ପାଇଁ'ତ ଜଳ ଆଞ୍ଜୁଳାଏ ଉତ୍ତର ବାଙ୍କରେ ଋଷିକୂଲ୍ୟା ସଙ୍ଗମରେ ସସ୍ତ୍ରୀକ। ସ୍ଥାନୀୟ ସଂକୀର୍ତ୍ତନ ଦଳିଆ ଗେରୁଆ ରଂଗ ଧୋତି,ଶୁଭ୍ର ଗାମୁଛା ,ଗଞ୍ଜିରେ ଝଟକୁଥିଲେ। ଚକ୍ରାକାର ମୁଦ୍ରାରେ ମୃଦୁଙ୍ଗ ଗିନି ତାଳରେ ମଜ୍ଜି ଯାଇଥିଲେ। ଠାଏଁ ଠାଏଁ ଘଣ୍ଟ ଦଳିଆ ଡାଏଁ ଡାଏଁ ବଜାଉଥିଲେ। ସମୂହ ପାଦ ଗୁଡିକ ସାମାନ୍ୟ ଉପରକୁ ଉଠୁଥିଲା। ଏକ ଲୋକନୃତ୍ୟର ଭ୍ରମ। ଭକ୍ତି ଭାବରେ ସଭିଏଁ। ଧର୍ମ କର୍ମ ନିଜ ନିଜର ଭାବକୁ ନେଇ ଆସିକା ବୁଡ଼ରେ ଦୁହେଁ। ଏକ ସ୍ମରଣୀୟ ଜୀବନ୍ତ ଯାତ୍ରା।

ଥୁଣ୍ଟା ବରଗଛ ତଳେ ଏ ବର୍ଷ ନରସିଂହ ସାହୁ ମିଠା ଦୋକାନୀ ମେଳାରେ ପସରା ନଥିଲା! ସେ ନାହାନ୍ତି ;କରୋନାରେ ଆରପୁରକୁ। ମନପଡେ଼ ବଲ୍ଳଭ ,ଝିଲ୍ଲିପି ଓ ଲଡୁ। କଥା ଦେଇଥିଲେ;କାର୍ଜି ଆଜ୍ଞା ,ବୁଡ଼ ବେପାର ଲାଭରେ ସାନ ପୁଅକୁ ଏ ହାତରୁ ଦୁଇହାତ କରି ଜଞ୍ଜାଳ ତୁଟାଇ। କାଠ ଚୁଲି ବିରଳ! ଗ୍ୟାସ ଚୁଲାରେ ତେଲ କରେଇ ଟକ୍କର ମକ୍କର ଫୁଟୁଥିଲା। ସିଙ୍ଗଡ଼ା ବରା, ପିଆଜି , ଖାରା! ସାମାନ୍ୟ ରାଗ। ଲଡୁ ଝିଲିପି ,ବାଃ ବାଃରେ କି ମିଠା! ଅତି ନିକଟରେ ଚିନି କାରଖାନ। 

ଟିକି ହସିଟିଏ 
ଯାଏ କେତେ ଦୁଃଖ,
ଯାତନା ଆସେନି ପାଶେ,
ମହାବାରୁଣୀରେ କି ଆନନ୍ଦ, 
ଯିଏ ଯେତେ ଖୁସି  ବାଣ୍ଟି ନିଏ।

ବର୍ଷକେ ଥରେ ଆସିକା ବୁଡ଼ 
ଏଇତ ସଂସାର ହସି ହସାଇବା 
କୁଣ୍ଠା ବୋଧ କଣ ପାଇଁ ?

ତାରାପଥରେ ଛିଣ୍ଡାଛିଣ୍ଡା ମେଘମାଳ ଏପଟରୁ ସେପଟକୁ ଭାସୁଥିଲେ। ଉଦୁଉଦିଆ ଖରାଟାରୁ ସ୍ୱଳ୍ପ ଆଶ୍ବସ୍ତି ମିଳିଲା। ୟୁଟ୍ୟୁବର ,ଟିଭି ଚ୍ୟାନେଲ ବାଲେ ଖବର ଜବର ନେଉଥିଲେ। କ୍ୟାମେରାରେ ଅଭୁଲା ଦୃଶ୍ୟକୁ  କାବୁ କରିନେଉଥିଲେ।

ଅଧାଦିନ ଆସିକା ବୁଡରେ ବୁଲିଲୁ। ରଥ ସଙ୍ଗାତେ ,ମୁନି ଆଜ୍ଞାଙ୍କୁ ଭେଟଘାଟ। ସମୟ ଚକ୍ରରେ କର୍ମ ଅନୁସାରେ,ପାପ ପୁଣ୍ୟର ଲେଖା ଛିଣ୍ଡେ। ଋଷିଶୃଙ୍ଗରୁ ଅଙ୍କାବଙ୍କା ତୃଣପ୍ରାନ୍ତ କନ୍ଦରରୁ କୁଳୁକୁଳୁ ନାଦରେ ଦୟା ଧର୍ମ,ପ୍ରେମକୁ ପଖାଳି ପୁଣ୍ୟତୋୟା ଋଷିକୂଲ୍ୟା। ଗଂଜା ମୁହାଣରେ ଅସଂଖ୍ୟ ଋଡେଲ୍କୁ ସୁରକ୍ଷା ଦେଇ ସାଗର ମହା ମିଳନରେ। ଦୁହେଁ ଆସିକା ବୁଡ଼କୁ ପ୍ରଦକ୍ଷିଣ କରି ଜଞ୍ଜାଳମୟ ସଂସାରରେ ଡୁବିଗଲୁ।


ବେରଂଗ ଚଣା ତାଟର ଆସର
ପାଇକା ସୋଲା ବୋଡ଼ା ଅଡ଼ା
ଗଉଣି ନଉତି ମାପ ଚଳଚଞ୍ଚଳ
କିମ୍ବଦନ୍ତୀ ବୁଡ଼ ଚଣା କିଣାରେ
କାଲାରୁ ମୁକ୍ତି ଚଣା ଖିଆରେ
ଏଇତ ଆସିକା ବୁଡ଼ ଆସର।


ବୁଡ଼ରେ ବଢେ ବିଞ୍ଚଣା ଗ୍ରାହକ
ବେଲୁନମାଳ ପେଁକାଳିର ଶବଦ
ପିଲା ଭୂଆସୁଣୀ ନବବଧୂ ପ୍ରୌଢ
ମନରେ ଉଲ୍ଲାସ ବହେ ବତାସ
ମହା ବାରୁଣୀ ସଙ୍ଗମରେ ସ୍ନାନ
ତରଙ୍ଗାୟିତ ଆଜି ଆସିକା ବୁଡ଼।।

(ରଚୟିତା - ଦିଲିପ କୁମାର ନାୟକ)

Comments

  1. This style of writing is so good. Great writing and poem lines are beautiful 😍

    ReplyDelete
  2. It is pleasure to invite your comments .

    ReplyDelete

Post a Comment