ବୃହତ୍ତ ଗୁଡ଼ୁ ଶଗଡ଼ ଯାତ୍ରା : ଏକ ଅନୁଭୂତି

ଆଜି'ତ ମଙ୍ଗଳ ବାର ଚୈତ୍ରମାସ ୩ୟ ପାଳି। ଗୁଡ଼ୁ ଶଗଡ଼ ଗାଡ଼ି। ଯୋଡ଼ି ବଳଦ ଚାପ ଘଣ୍ଟି ଘାଗୁଡ଼ି ଚାଳକ ଶିଙ୍ଘରେ ତେଲ ମାଠିଲା। ଧୋବ ଫରଫର  ବଳଦ। ଅଧା ରାତ୍ରରୁ ସପରିବାର ରମଣୀ ଶାଢ଼ୀ,ପୁରୁଷ ଧୋତି ପାଇଜାମା। କାଇଁ କଟରରୁ ବର୍ତ୍ତିବା ପାଇଁ  ତେଣ୍ଡାରେ କାନକିଲି ଜଡ଼ା ତେଲ। ଘର ସାଆନ୍ତାଣୀ ଆସନ ନେଲେ। ପୁରୁଷ ସାମ୍ନାରେ। 


ବଡ଼ଦାଣ୍ଡ ବାବନପୁରରୁ ତାରା ତାରିଣୀ ପୀଠ ଅନୁକୂଳ ଯାତ୍ରା।  ନବଘନ ଡ୍ରାଇଭିଂ ଆସନରେ ! ବଳଦ ଯୋଡ଼ି ତା'ବାମହାତରେ, ଗାଁ ତଳ ଦଣ୍ଡାରୁ ଉପ - ସଡ଼କ। ନିମ୍ନ ପ୍ରାଥମିକ ବିଦ୍ୟାଳୟ ,ମଧ୍ୟ ଇଂରାଜୀ ବିଦ୍ୟାଳୟ ପଛରେ।  ତିନିବର ମଶାଣି ଝାମ୍ପୁରା ବରଗଛ ବାମ କଡ଼ରେ ଦେଖିଲୁ। ଭୁତ ଡାହାଣୀ  ସଙ୍ଗାତେ  କହୁଥିଲେ,ଶନିବାର ଓ ମଙ୍ଗଳବାର ନିଆଁ। ଛାତିରେ ଦୁକୁଦୁକୁ  ;ବୋଉଙ୍କ ପଣତ କାନି। ଭୟ ଯେମିତି ଉଭେଇଥିଲା। ପ୍ରିୟ ଚିନିଶିଳ୍ପ ହାଇସ୍କୁଲ ବନ ବିଦ୍ୟାଳୟଠୁଁ କମ ନଥିଲା। ଡ଼ାହାଣ ପାର୍ଶ୍ୱରେ ଭୁତ ଆମ୍ବ ତୋଟା ମଝି ପୋଇରେ କନ୍ଧ ନାହାକଙ୍କ ଯୋଡ଼ି ଆମ୍ବଗଛ! ଗୁଡ଼ୁ ଶଗଡ଼ ବଢୁଥାଏ। ରଂଗଡ଼ିଆ ଟାଙ୍ଗରା ପଡ଼ିଆ! ଠାଁଏ ଠାଁଏ ବୁଦା ଘାସ, ଉଚ୍ଚ ତାଳବୃକ୍ଷ। ଗୋଳା ପଲ୍ଲୀ ଛେଳି ,ମେଣ୍ଢା  ଗୋପାଠ ବାଉଁଶ ଘେରରେ ମେଂମେଂ। କଣ କହୁଥିଲେ? ଗୋଲା ନନାଙ୍କୁ ହିଁ ଜଣା। ମାଟି ମୁଣ୍ଡିଆ  ପାର୍ଶ୍ୱ କୋଟୀନଡା  ପିଚୁ ରାସ୍ତାରେ ଶଗଡ଼।

ଅନେକ ଶଗଡ଼ ଧାଡ଼ିରେ ଅନ୍ଧାରୁଆ ଯାତ୍ରା। ଧନେଇ ପୋଲରେ ଘଡ଼ଘଡ଼ ଶବଦରେ ଗଡ଼ିଲା। କୂଳରେ ଧାରାଟିଏ ଜଳ।   ଚଢ଼େୟା ଘାସ ବୁଦାବୁଦା।  ଗୋଲା ମୁଣ୍ଡଲା ,ପଥରା ପଛରେ ଛାଡ଼ିଲୁ । ବିଲୁଆ ନନାର  ହୁ - କେ-ହୋ, ହୁ - କେ-ହୋ ପରେ  କା ,କା  ରାବ  ସକାଳ ପାହିଲା। ସବୁଜ ପରିବା।  ମଫସଲି ବଜାର   ପେଣ୍ଠ ସ୍ଥଳୀ ।  ଫଁ ଫଁ ଶବଦ  ଶୁଭୁଲା! ନବଘନ ତା ଶଗଡ଼କୁ ଲଗାମ ଦେଲା। ବଳଦକୁ  ନାଳରେ ଜଳ ପିଆଇଲା। ଗୁଡ଼ିଆ ହୋଟଲରେ ଚାହା ପିଇଲୁ।  ପାନ ସହ ବୋଇରାଣି ମସଲା ଚାରିଖଣ୍ଡ  ବରାଦ। ଗୁଡ଼ ମୁଆଁ  ଭାରିମଜ୍ଜା।

ତ୍ରୀକୋଣୀୟ ଛକ ଡ଼ାହାଣ ମୋଡ଼ରେ ଗୁଡ଼ିଆଳି ଦାଣ୍ଡରେ ବଢ଼ିଲୁ। ୧୨ କିଲୋମିଟର ଦୂର । ଛୋଟ ଛୋଟ ଗାଁ ;ମୋହନ ପଲ୍ଲୀ ,ସାମନ୍ତରାପୁର ନଡ଼ା ଛପର  ନଜରକୁ ଆସିଲା । ନଈକୂଳେ  ଗାଁ ! ଉର୍ବର ଜମିରେ ଶସ୍ୟ ଶ୍ୟାମଳ  ଭରପୂର୍ଣ୍ଣ! ଝାଡ଼ବାଇ  ମହିଳା ପୁରୁଷ ଜମିରେ ଝାଳ ବୁହାଉଥିଲେ। ଜଉଗଡ଼ ଐତିହାସିକ ସ୍ଥଳ ଦୂରରୁ ଦେଖିଲୁ । ପାଣ୍ଡିଆ ଗାଁ ଶେଷରେ  ତେଜରାତି ଦୋକାନ ,ପାନ ଦୋକାନରେ ଖଟି !  ଭାଗବତ ଟୁଙ୍ଗିର ଭଜନ ଶୁଭୁଥିଲା ! ଛପର ଘର ରୋଷେଇ ଶାଳାରୁ   ଧୂଁଆ। ଅପ୍ରମିତ ସାଇକେଲ ଗାଁ ସଡ଼କରେ। ବୋଧେ ତାରାତାରିଣୀ ପର୍ବତକୁ ମୁହାଉଁଥିଲେ। 

ଶଗଡ଼ ରଣଝାଳି,ପଞ୍ଚେଲି ଅତିକ୍ରମ କରି ମୁଖ୍ୟ ରାସ୍ତାକୁ ନବଘନ ମୋଡ଼ିଲା।  ନିକଟତର ଜଳେଶ୍ୱର ଖଣ୍ଡି । ନବଘନ ଉଲ୍ଲାସରେ ହଳିଆ ଗୀତ ଗାଉଥିଲା । "ବୋଲାରେ ବେଲଗଛ ମୂଳେ କିଏ ସେ ତିନୋଟି ଯେ ,ଆଗରେ ଶ୍ରୀରାମ ପଛରେ ଅନୁଜ ଲକ୍ଷ୍ମଣ ମଧ୍ୟରେ ମା ସୀତା ",ଗୋଡ଼ ଗୋଡ଼ବା ଟେକେ ଟେକେ; ସେ ଟାକରା ମାରୁଥାଏ ।

କୁମାରୀ ପର୍ବତର ଏକ ଅଂଶ ତାରା ପର୍ବତରେ ପତାକା ଦେଖିଲୁ । ଉତକଂଠା ବଢ଼ିଲା। କେମିତି ପହଁଚିବୁ? ପ୍ରଥମ ଦର୍ଶନ ଯାତ୍ରା ରହିଥାଏ। ମାନସିକ ଶାନ୍ତି ପାଇଁ ତୃତୀୟ ପାଳିରେ ସଂକଳ୍ପ ବୋଉଙ୍କ  ମାନସିକ। ଅଂଚଳର ଇଷ୍ଟଦେବୀ ନାମରେ ମହିମା କାଳ କାଳରୁ ପାଳିତ।  ଲଣ୍ଡିତ ମସ୍ତକ ପରେ ଟୋପି କିଣା ହେବ।  ତାରା ତାରିଣୀ ଆଦିଶକ୍ତି ପୀଠ। ୫୧ ଶକ୍ତି ପୀଠରୁ ଗଂଜାମ ଜିଲ୍ଲାର ଏକ ମାତ୍ର ଶକ୍ତି ପୀଠ। 
 ମା ତାରା ତାରିଣୀ ନାମରେ ପ୍ରସିଦ୍ଧ ।
ଏକ କିମ୍ବଦନ୍ତୀ ଛୁପିଥିଲା। ଦକ୍ଷ ପ୍ରଜାପତି ମହାରାଜା ଅଶ୍ୱମେଧ ଯଜ୍ଞରେ ସତୀ ତାଙ୍କ ସ୍ୱାମୀ ହର ହର ମହାଦେବଙ୍କୁ ଅପମାନିତ କରିଥିଲେ। ସତୀମା ଅସହ୍ୟ ହୋଇ ପ୍ରାଣ ତ୍ୟାଗକଲେ। 
କ୍ରୋଧିତ ମହାଦେବ ଶିବ ଶଙ୍କର ସତୀଙ୍କ ମୃତ ଦେହକୁ ନେଇ ଆକାଶରେ ଉଡ଼ିଲେ  । ଭଗବାନ ଚକ୍ର ପେଷି ଶରୀରକୁ ବିକ୍ଷିପ୍ତ କଲେ। ଏଠି ପର୍ବତ ଚୂଳରେ ସତୀଙ୍କ ସ୍ତନଭାଗ ପଡ଼ିଲା।ତା'ପର ଠାରୁ ପୂଜା ପାଠ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଦର୍ଶନପାଇଁ ଭିଡ଼। ସାଦା ତରକାରୀ,ମିଠା ଖିରି କେତେ କଣ ସୁଆଦିଆ ଖେଚୁଡ଼ି ଭୋଗ ଚଢା ହେବ।  ନିକଟ ସମ୍ପର୍କୀୟଙ୍କୁ ଠାରୁ ଆଶିଷ ପାଇଲି।ସେ ପୁରୁଣା ଆମ୍ବ ତୋଟା। ପର୍ବତ ପାଦ ଦେଶରେ ,ଆଜ୍ଞା ମାଳଟିଏ ପରେ ପୂଜା।  ପ୍ରଶାସନକଟକଣା।କେଉଁ କାଳରୁ ବଳିପ୍ରଥା ପ୍ରଚଳିତ ଥିଲା। 

                                                 
ଚୈତ୍ର ପରବର ପାଦ ଦେଶରେ ଅଧିଆ ପଡ଼ିଲୁ। ଭୋଗ ରାଗ ପୂଜା ଅର୍ଚ୍ଚନା ପରେ ଭୋଜି। ଖିରିବାସନା କାଠ ଚୁଲିରୁ ଚହଟି   ଆସୁଥିଲା। ପସରା ମାଳମାଳ! ବେରଂଗ ଖେଳନା ପଦାର୍ଥ ଠାରୁ ଆରମ୍ଭ କରି ଘର କରଣା ଜିନିଷ ପର୍ଯ୍ୟନ୍ତ ତାଲିକା ଲମ୍ବିଥିଲା। ମିଠା ଦୋକାନ,ପାକୁଡ଼ି ଦୋକାନ ,ହରେକ ମାଲ ଷ୍ଟଲରେ ଗ୍ରାହକଙ୍କ ଅସହ୍ୟ ଭିଡ଼! ରମୁଣି ଖଦି,କସ୍ତା,ବ୍ରହ୍ମପୁର ଶାଢ଼ୀ ,ପିତଳ ଶାଢ଼ୀ ବଜାର  ଭେଳିକି ଭେଳି। ମାଙ୍କଡ଼ ଦଳ ଆମ୍ବ ତୋଟାରେ ଏଡାଳରୁ ସେ ଡାଳକୁ ଡିଆଁ ମାରୁଥିଲେ। ଖୀଖୀ ! ଲାଞ୍ଜ  ତଳକୁ ଲମ୍ବେଇଥିଲେ। ସ୍ଥାନୀୟ କୁକୁର ଭୋ ଭୋ କୌତୁହଳ ଦୃଶ୍ୟ ଦେଖିଲୁ।

ପାହାଚ ପରେ ପାହାଚ ୯୯୯ ପାହାଚ ଗଣି ଗଣି ଜୟମା ତାରା ତାରିଣୀ ଗାନ କରି ତୀଖ ପାହାଚ ଚଢିଲୁ।   ଗମ ଗମ ଝାଳ।  ଅନେକ ଶ୍ରଦ୍ଧାଳୁ ଦୁଇପାର୍ଶ୍ୱରେ ମାଙ୍କଡ଼ଙ୍କୁ ଇଙ୍ଗିତ କରୁଥିଲେ। ଶିଖରରେ ଆମେ ସଭିଏଁ।ଗୁମର ଫିଟିଲା।ମଧ୍ୟଯୁଗରେ ବାସୁ ପ୍ରହରାଜ  ମୁଖ୍ୟ ପୃଷ୍ଠପୋଷକତା କରୁଥିଲେ। ମୋଗଲ ଶାସନ କାଳର ପ୍ରାଚୀନ  ମନ୍ଦିର। କଳିଙ୍ଗ କଳା ସ୍ଥାପତ୍ୟ କାରୁକାର୍ଯ୍ୟ ଦେଖିଲୁ। ଗର୍ଭ ଗୃହରେ ମାଆଙ୍କ ସ୍ତନ ପୂଜା ପାଉଥିଲେ।  ଦୁଇମୁଖ ବିଶିଷ୍ଟ ଦେବୀ ସ୍ବର୍ଣ୍ଣ ଓ ରୌପ୍ୟରେ ଆଚ୍ଛାଦିତ ଓ ମସ୍ତକ କାଂସ୍ୟର ମୂର୍ତ୍ତ ଦେଖିଲୁ। ବୁଦ୍ଧ ମୂର୍ତ୍ତି ଦର୍ଶନ ପାଇଲୁ । ୧୭୦୦ ରେ ତାରା ତାରିଣୀ ବିଶିଷ୍ଟ ହିନ୍ଦୁ ମନ୍ଦିର।  ଅନେକ ସାଧୁ ତାନ୍ତ୍ରିକ ପୂଜା ପାଠ ପାଇଁ ସଂକ୍ରାନ୍ତି ,ନବରାତ୍ର ମନ୍ତ୍ର ପାଠର ସୂଚନା ମିଳିଲା।. ପାହାଁମୁଣ୍ଡି ପଡ଼ିଲୁ। ଆଜ୍ଞା ମାଳ ନେଇ ତଳକୁ ତଳକୁ ପାହାଚରେ ଖସିଲୁ । ଆସିବା ସହଜ। ତାରା ତାରିଣୀଙ୍କ ମହିମା । ଅପେକ୍ଷାର ଅନ୍ତଘଟିଲା।  

ଶାଳପତ୍ର  ଥାଳି  ଗଣ୍ଠି ଖୋଲା। ନବଘନ ପରସା ଦାୟିତ୍ୱରେ। ବଡ ସାନ ପଂକ୍ତି ଭୋଜନରେ ଦୁଇ ଧାଡ଼ିରେ ଆସନ ନେଲେ । ଫୁରୁଫାର ହାଫୁରା ଶବଦ। ଓ; କି ତାତିଲା ଖାଦ୍ୟ। ନାକରୁ ଜଳ। ତରକାରୀ ସାମାନ୍ୟ ରାଗ । ଦୋହଡ଼ା  ଶେଷରେ ଖିରି ବୁନ୍ଦିଆ ମିଠାରେ ସମାପ୍ତ। ଲଣ୍ଡିତ ମସ୍ତକରେ ଟୋପି।ବଳଦ ବିଶ୍ରାମ ନେଉଥିଲେ। ଘାସ ଓ କୁଣ୍ଡା ପାଣି ପିଇଲେ। ଜୟ ମା ତାରା ତାରିଣୀ ଜୟ ଏକ ସ୍ୱରରେ ଗାଇଲୁ! କୁମାରୀ ପର୍ବତ କମ୍ପିଲା। 

ଲେଉଟାଣି ଯାତ୍ରା  ଶଗଡ଼ିଆ ଦଳ ତାର ତାରିଣୀ ପୀଠରୁ  "ପ୍ରତିଧ୍ୱନି “ଜୟ ମା ତାରା ତାରିଣୀ ଜୟ”, ଓ ଦିନର ଭ୍ରମଣ ଆଜିର ଦର୍ଶନରେ କୁମାରୀ ପର୍ବତ ହିଁ ମୁକସାକ୍ଷୀ। ଏଠି ଦେଖିଲି ନୁଆଁ ସ୍ଥାପତ୍ୟ କଳିଙ୍ଗ କଳାକୃତି,ସ୍ୱାଗତ ତୋରଣ ,ଯନ୍ତ୍ର ଚାଳିତ ଶ୍ରଦ୍ଧାଳୁଙ୍କ ସକାଶେ ଆରାମ ଝୁଲା ଦୋଳି ମନେ ପଡୁଥିଲା ପସରା ନାଳିଆ ବରଫ ଫଳ ଆଇଁସିକ୍ରିମ,ହଳଦିଆ ବେଲୁନ  ବାଲାର  ଦୀର୍ଘତମ ଖୁଣ୍ଟି। ବମ୍ବେଇ ଲଡୁ ଓ ପେଁକାଳୀ। ଏବେବି କାନକୁ ଶୁଭୁଛି।

 (ରଚୟିତା - ଦିଲିପ କୁମାର ନାୟକ) 

Comments

Post a Comment