କା-କା-ରାବ ଶୁଭିଲା। ରାମନାଥ ଧାମ’ରେ ସକାଳ ପାହିଲା। ଆମେ ୪ ସଜବାଜ ହେଲୁ। କଣ କଣ ସାଥିରେ ତୀର୍ଥ ସ୍ଥଳକୁ ନେବୁ? ଦି’ପଦରେ ଧୋତି ଚାଦର ଝୁଲାରେ ସାଇତିଲୁ। ମିନତୀ ପ୍ରଣତି ଭ୍ୟାନିଟି ବ୍ୟାଗର ଯତ୍ନ ନେଲେ ।
୨୯ ଜୁନ ୨୦୨୪ରେ ଦ୍ଵିତୀୟ ପାହାନ୍ତିରୁ ଟୁକୁ ଟୁକୁ ଟେମ୍ପଲ ଟାୱାର ଛାଡ଼ିଲା। ଈଶ୍ୱରୀ ଅମ୍ମାନ କୋଏଲ ସାହି ମୁଖ୍ୟ ପଥରେ ମନ୍ଥର ଗତିରେ ଅଟୋ ଗଡ଼ିଲା। ରାମେଶ୍ୱର ଧାମ ଚେଇଁ ସାରିଥିଲା। ଦଳଦଳ ଶ୍ରଦ୍ଧାଳୁଙ୍କୁ ଦେଖିଲୁ। ପୁଷ୍ପାଳୟଟିରେ ମାଳମାଳ ଗୋଲାପ ,ଗଡମାଣିକ, ହରଗୌରୀ ଓ ଜିନିଆ ଆଦି ଲମ୍ବିଥିଲା। ଚାହା ଦୋକାନରେ ଗ୍ରାହକ ଫୁଫୁ କରି ଚାହା ପିଉଥିଲେ।
ପୌର ପାଳିକାର କର୍ମଚାରୀ ବାଟଘାଟ ସଫା ସୁତୁରାରେ ଅଣ୍ଟାଭିଡ଼ି ସାରିଥିଲେ। ଅଗ୍ନିତୀର୍ଥ ପବିତ୍ର ସ୍ଥଳ ଗୋଟିଏ କିଲୋମିଟର ଦୂର ରହିଥାଏ। ସ୍ଥାନୀୟ ଚାଳକ ସଂକୀର୍ଣ୍ଣ ମାର୍ଗ ଦେଇ ମନ୍ଥର ଗତିରେ ପାର କରୁଥିଲା। ରାମନାଥ ସ୍ୱାମୀଙ୍କ ଗୋପୁରମ ଦୂରରୁ ଦେଖାଯାଉଥିଲା। ଗମନା ଗମନ ପାଇଁ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ,ଅଟୋ,ଟ୍ୟାକ୍ସି ତୀର୍ଥ ସ୍ଥଳରେ ଅକ୍ଳେଶରେ ପହଞ୍ଚି ହେବ। ,
ଆଖିରେ ନାଚୁଥାଏ ଅଗ୍ନିତୀର୍ଥ। ନାମକୁ ନେଇ ସନ୍ଦେହ ସଂଚାରିଥିଲା। କୂଳରେ ପଣ୍ଡିତେ ବଖାଣୁଥିଲେ। ଏକଦା ସୀତାମା ନିଜର ସତୀତ୍ଵ ପରୀକ୍ଷା ପାଇଁ ଅଗ୍ନି ପରୀକ୍ଷାରେ ସଫଳ ହୋଇଥିଲେ। ସ୍ୱୟଂ ଅଗ୍ନି ଦେବତା ଦେବୀଙ୍କ ସ୍ପର୍ଶରେ ଆସିଥିଲେ। ସାଗର କୂଳରେ ଦିନେ ଅଗ୍ନି ଦେବତା ସ୍ନାନ କରି ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିଲେ। ସେହି ଦିନଠୁ ଅଗ୍ନି ଦେବତାଙ୍କ ନାମାନୁସାରେ ଅଗ୍ନିତୀର୍ଥ ନାମରେ ପ୍ରସିଦ୍ଧ। ଏକ କିମ୍ବଦନ୍ତୀ ଛୁପିଥିଲା।
ଲଙ୍କା ବିଜୟ ଲେଉଟାଣିରେ ,ଏଇ କୂଳରେ ଶ୍ରୀ ରାମ ସ୍ନାନ କରିଥିଲେ। ଏକ କିମ୍ବଦନ୍ତୀ ଲମ୍ବିଥିଲା ଦୁରକୁ ଦୂର ! ଲଙ୍କା ଯୁଦ୍ଧରେ "ରାବଣଙ୍କ ହତ" ପାପ ଦୋଷ ସ୍ୱୟଂ ଶ୍ରୀରାମ ମୁଣ୍ଡେଇଥିଲେ। ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଁ ଅଗ୍ନିତୀର୍ଥକୁ ଚୟନ କଲେ। ବିଶ୍ୱପ୍ରସିଦ୍ଧ ରାମନାଥ ଧାମ ରାମେଶ୍ୱରର ୬୪ ଗୋଟି ତୀର୍ଥ ମଧ୍ୟରୁ ଅଗ୍ନିତୀର୍ଥ ଅନ୍ୟତମ।
ଭାରତ,ନେପାଳ ଓ ତିବ୍ବତ ଶ୍ରଦ୍ଧାଳୁଙ୍କ ପାଇଁ ସ୍କନ୍ଦ ପୁରାଣରେ ସଂସ୍କୃତ,ଦେବଯାନୀ ଭାଷାରେ ବର୍ଣିତ। ୩ଟି ସୋପାନରେ ତୀର୍ଥକୁ ବିଭକ୍ତି କରାଯାଇଛି। ହିନ୍ଦୁଙ୍କ “ତୀର୍ଥ ମାହାତ୍ମ୍ୟ“ରେ ଉଲ୍ଲେଖିତ।୧.ଯଜ୍ଞତୀର୍ଥ-ଋଷି,ଶ୍ରଦ୍ଧାଳୁ ଦେଶର ଭିନ୍ନ ଅଂଚଳରେ ଆୟୋଜିତ କରୁଥିଲେ। ୨. ସ୍ଥଳ ତୀର୍ଥ-ଏକ ସ୍ଥାୟୀ ତଟିନୀ,ବନାରସ, ହରିଦ୍ୱାର,କୈଳାଶ ପ୍ରୟାଗ ସଙ୍ଗମ,ମହୋଦଧି ଆଦି ସ୍ଥାନିତ। ୩ .ମାନସ ତୀର୍ଥ- ଶ୍ରଦ୍ଧାଳୁଙ୍କ ମନ,ତନ ଓ ଶରୀର’ର ପବିତ୍ରତା ନିମନ୍ତେ ତୀର୍ଥ ପୁରାଣରୁ ପଢିଥିଲୁ।
ପ୍ରାଚୀନ ଐତିହାସିକ ଧର୍ମ ତୀର୍ଥକ୍ଷେତ୍ର ବ୍ରହ୍ମ ପୁରାଣ,ନାରଦ ପୁରାଣ ,ସ୍କନ୍ଦ ପୁରାଣରେ ବିଶଦ ଭାବରେ ଉଲ୍ଲେଖିତ। ଏକାଧିକ କିମ୍ବଦନ୍ତୀ ହିନ୍ଦୁଙ୍କ ମନରେ ବିଶ୍ୱାସ ଭକ୍ତିଭାବ ଦେଖିବାକୁ ପାଇଲୁ। ସ୍ଥାନୀୟ ପଣ୍ଡିତେ କହୁଥିଲେ। ଅଗ୍ନିତୀର୍ଥର ମାହାତ୍ମ୍ୟ ପୁନେଇଁ,କୁଆଡେ ତିଥିରେ ସ୍ନାନଦ୍ୱାରା ପୁଣ୍ୟପ୍ରାପ୍ତ ହୁଏ।
ପ୍ରଥମ ଶତାଦ୍ଦୀରୁ ପବିତ୍ର ତୀର୍ଥ ଅଯୋଧ୍ୟା ମହିମା ୧୦ ଅଧ୍ୟାୟ ଓ ସେତୁ-୫୨ ଅଧ୍ୟାୟ (ତାମିଲ ନାଡୁ ଓ ଶ୍ରୀଲଙ୍କା ) ବର୍ଣ୍ଣିତ। ପୁରୁଷୋତ୍ତମ ଶ୍ରୀ କ୍ଷେତ୍ର ମହତ୍ତ୍ୱ -୪୦ ଗୋଟି ଅଧ୍ୟାୟରେ,ପୁରୀ,ଓଡ଼ିଶା ଓ ଧାର୍ମିକ ସ୍ଥଳ ଗୁଡ଼ିକର ବର୍ଣ୍ଣନା କରାଯାଇଛି।
ଗୁମସୁମ! ଅଟୋ ନରମି ଯାଇଥିଲା। ୧୦୦ ଟଙ୍କା ଭଡା ଦେଇ ତୋରଣ କତିକୁ ଗଲୁ। ଅପ୍ରମିତ ନୌକା ଅନତି ଦୂରରେ ସ୍ଥିର ମୁଦ୍ରାରେ ଠୁଳ ହୋଇଥିଲେ। କେତେକ ମତ୍ସ୍ୟ ବେଉସା ପାଇଁ ଛକି ବସିଥିଲେ। ଯନ୍ତ୍ର ଚାଳିତ ଲଞ୍ଚ ଗୁଡିକ ପର୍ଯ୍ୟଟକଙ୍କ ଜଳ ଯାତ୍ରା ପାଇଁ ପ୍ରସ୍ତୁତି ହେଉଥିଲେ। କୂଳରେ ମନ୍ତ୍ରପାଠ, ଜଳରେ ଶ୍ରଦ୍ଧାଳୁ ,ଜାଲରେ ଲୁଣିମାଛ ବନ୍ଧା ପଡ଼ିଥିଲେ।
ରବିଙ୍କ କିରଣରେ ଚିକିଚିକି ରୋପ୍ୟର କୁହକ ଦୃଶ୍ୟରେ ଶ୍ରଦ୍ଧାଳୁ ଉପଭୋଗ କରୁଥିଲେ। ଧନ୍ୟ ମନେକଲୁ। ତ୍ରେତୟା ଯୁଗରେ ଶ୍ରୀରାମ ଅଗ୍ନୀତୀର୍ଥ କ୍ଷେତ୍ର! ଆହାଃ! ଆମେ କେତେ ଭାଗ୍ୟବାନ! ପୁଣ୍ୟ ପାଇଁ ଆମେ ୪ ହାଇପାଇଁ ହୋଇଥିଲୁ। ଅଗ୍ନିତୀର୍ଥରେ ପାପ ବଦଳେ ପୁଣ୍ୟ ହିଁ ପୁଣ୍ୟ।
ବୁଡ଼ କିପରି ପାରିବୁ? ଭିନ୍ନ ଭାବ ଜାଗ୍ରତ ହେଉଥାଏ। ପଣ୍ଡିତେ ଠାଏଁ ଠାଏଁ କୂଳରେ ମନ୍ତ୍ରପାଠ କରୁଥିଲେ। ଯଜ୍ଞ କୁଣ୍ଡରେ ଆହୁତି ଦେଉଥିଲେ।୧୪ ବ୍ରହ୍ମାଣ୍ଡର ଶ୍ରେଷ୍ଠ ଦେବ ଦେବ ମହାଦେବଙ୍କ ଉପାସନାରେ ଶ୍ରଦ୍ଧାଳୁ ପଣ୍ଡିତେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଗୁଞ୍ଜରଣରେ ମୁଖରିତ ହେଉଥିଲା। ଅଗ୍ନିତୀର୍ଥ କ୍ଷେତ୍ର ଉପତ୍ୟକାରେ ଏକ ଆଧ୍ୟାତ୍ମିକ ପରିବେଶ ଅନୁଭୂତ ହେଉଥିଲା।
ଅସଂଖ୍ୟା ଶ୍ରଦ୍ଧାଳୁ ବୁଡ଼ ପାରୁଥିଲେ। ମୁଣ୍ଡନ ମଣ୍ଡପରେ ପୁରୁଷ ଓ ମହିଳା ଶ୍ରଦ୍ଧାଳୁଙ୍କୁ ଦେଖିଲୁ। ମାନସିକ ପୂର୍ଣ୍ଣତା ପାଇଁ ହିନ୍ଦୁଙ୍କ ମନରେ ଏକ ଦୃଢ ବିଶ୍ୱାସ ରହିଛି। ଆମ ଓଡ଼ିଶାରେ ଶ୍ରୀ କ୍ଷେତ୍ର ପୁରୀ,ଶକ୍ତିପୀଠ ତାରାତାରିଣୀ,କୁଲାଡ଼ ବ୍ୟଘ୍ରଦେବୀ,ମା ଖମ୍ବେଶ୍ବରୀ ,ଆସିକା,ବ୍ୟାଘ୍ରଦେବୀ କୁଲାଗଡ଼,ସମ୍ବଲପୁରର ସମଲେଶ୍ୱରୀ ପୀଠରେ ମୁଣ୍ଡନ ଅତୁଟ ପ୍ରଥା ପରମ୍ପରା ପ୍ରଚଳିତ।
ନୁଆଁ ତୀର୍ଥ ଯାତ୍ରୀ ଓ ପଣ୍ଡିତଙ୍କ ଆଲୋଚନା ମଣ୍ଡପରେ ଶୁଣିଲୁ । ସାଗର ଦେଖିଲୁ କିନ୍ତୁ ଲହଡ଼ି ଉଭାନ। ଜଳ ଦେଖିଲୁ ସ୍ଥିର। ଶ୍ରଦ୍ଧାଳୁଙ୍କ ସ୍ନାନ କେବଳ ସ୍ନାନ ଦୃଶ୍ୟ ହୃଦୟକୁ ସ୍ପର୍ଶ କରିଥିଲା। ଧୀରେ ଧୀରେ ଜଳକୁ ଛୁଇଁ ଥିଲୁ। ଗଭୀର ଆମକୁ ଜଣା ନଥିଲା।
ଜଳ ଛିଂଚିବୁ ନା ପୂର୍ଣ୍ଣ ବୁଡ଼ ପାରିବୁ ? ଦୋଦୋପାଞ୍ଚରେ କେଇ ମିନଟ ମତ ବିନିମୟ ହୋଇଥିଲା। ଶେଷରେ ଡୁବୁକି ମାରିଲୁ। ଜଳରେ ଜଳରେ ୨୦ ଫୁଟ ସମୁଦ୍ର ଶଯ୍ୟାରେ ବୁଡ଼ ପାରିଲୁ। ସସ୍ତ୍ରୀକ ମୁଣ୍ଡ ବୁଡାଇ ତୁହାକୁ ତୁହା ୩ ଥର ବିଧି ପାଳନ କଲୁ। ଭୋଳାନାଥ ଶିବ ଶଙ୍କରଙ୍କ ମନ୍ତ୍ର ଉଚ୍ଚାରଣ କଲୁ। ତିଳ ତର୍ପଣ କଲୁ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳାଏ ଆଞ୍ଜୁଳାଏ ଆଞ୍ଜୁଳାଏ ୩ ଥର ଜଳ ଅର୍ପଣ କଲୁ। ଭିଜା ଭିଜା ଶରୀରରେ କୂଳ ପାର୍ଶ୍ୱରେ ପହଞ୍ଚି ଗଲୁ । ସଂସ୍କାର ମନ ପ୍ରାଣ ଶରୀର ମଧ୍ୟରେ ଭିନ୍ନ ଭାବ ଜାଗ୍ରତ ହୋଇଥିଲା। ଭୟ ଉଭେଇ ଯାଇଥିଲା। ସାଢେ ତିନିଘଣ୍ଟା କାଳ ତୀର୍ଥରେ ବିତେଇଥିଲୁ। ଆମ ଚାରିଙ୍କ ପହିଲି ଅଗ୍ନିତୀର୍ଥ ପାମ୍ବନ ଦ୍ୱୀପରେ ରହିଥିଲା।
ଆମ ଭ୍ରମଣ ତୀର୍ଥଯାତ୍ରାର କିୟତ ଅଂଶରେ ସମ୍ପର୍ଣ୍ଣ କଲୁ। ମିନତୀ ଓ ପ୍ରଣତିଙ୍କ ମୁଖରେ ହସ ଫୁଟିଥିଲା। ଓଁ ନମଃ ଶିବାୟ ଉଚ୍ଚାରଣ କଲୁ। ଶିବଦ୍ରୁମ ପତ୍ର ଚୋବାଇ ଚୋବାଇ କୂଳକୁ ବାହୁଡ଼ିଥିଲୁ। କୂଳରେ ପୂଜା ସାମଗ୍ରୀ ଷ୍ଟଲ ଚାହା ଜଳଖିଆ ଷ୍ଟଲ ଧାଡ଼ିଟିଏ ଦେଖିଲୁ। ଉପାସିଆ ଶ୍ରଦ୍ଧାଳୁଙ୍କ ପାଇଁ ଟିକି ବଜାରଟି ଉତ୍ତମ ଉଷୁମ ଖାଦ୍ୟ ଯୋଗାଉଥିଲା। ଚାହା'ର ସ୍ୱାଦ ନେଲୁ। ଫୁର୍ତ୍ତି ଫେରି ଆସିଲା। ଭଗବାନ ଶ୍ରୀରାମଙ୍କ ସେତୁବନ୍ଧ ଓ ଅଗ୍ନିତୀର୍ଥ କଳିଯୁଗର ମାନବ ପାଇଁ ଏକ ଦୁର୍ଲଭ ବରଦାନ; ଆଉ କଣ ହୋଇପାରେ ?
ପ୍ରଦୀପ ଭାଇ ମୁରୁକି ମୁରୁକି ହସରେ ପାଦ ପକେଇ ରାମନାଥ ସ୍ୱାମୀ ମନ୍ଦିର ମୁହାଁ ହୋଇଥିଲେ। ଅଗ୍ନିତୀର୍ଥ ଏକ ଅନୁଭୂତି ଜମା ଭୁଲି ହୁଏନା।
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର, ୨ସ୍କନ୍ଦ ପୁରାଣ ,ସେତୁ ପୁରାଣ ,ନାରଦ ପୁରାଣ ,ତୀର୍ଥ ମାହାତ୍ମ୍ୟ .୩. https//en.wikipedia.org





❤️❤️
ReplyDeleteThanks
Delete