ଚନ୍ଦ୍ର ରାଇଜରେ ଆମ ଘର -ପ୍ରଥମ ଭାଗ (ଗଳ୍ପ ସଂଖ୍ୟା -୭)





ଡକ୍ଟର ଝୁଲି ହରିରାଜପୁର ସମୁଦ୍ର କୂଳିଆ ଏକ କୁଟୀରରେ ବାସ କରନ୍ତି। ତାଙ୍କ ସହ ଭାରତୀ ନାତୁଣୀ ଓ ଆଗ୍ରହୀ ଛୋଟ ବାଳକ ନାତି ଭରତ ସାଥି। ସେ ପଦାର୍ଥ ବିଜ୍ଞାନର ଅବସର ପ୍ରାପ୍ତ ଅଧ୍ୟାପିକା। ସକାଳୁ ସକାଳୁ ସୂର୍ଯ୍ୟନମସ୍କାର ,ଦଣ୍ଡ ବୈଠକ ନିୟମିତ କରୁଥିଲେ। ଶତ ପ୍ରତିଶତ ଫିଟ ଥିଲେ। ଶ୍ୟାମଳୀ ଶରୀର ତୁଳନାରେ ୭୨ କେଜି ଓଜନରେ ସୀମିତ ଥିଲେ। ୫ଫୁଟ ୬ଇଂଚ ଉଚ୍ଚତା ଘଞ୍ଚକେଶ ରମଣୀ। କେଉଁଠି କେମିତି ଧୂସର ଚୁଟି ଦେଖିବାକୁ ମିଳୁଥାଏ।

ନାତି ନାତୁଣୀଙ୍କ ପ୍ରତି ଭାରି ଆଦର ରହୁଥିଲା । କଥା କଥାକେ ଇଁରାଜୀ ଓଡ଼ିଆ ଭାଷାରେ ଗପ ଶୁଣାଉଥିଲେ। ବେଳେ ବେଳେ ହସି ହସାଉ ଥିଲେ। ନାତୁଣୀ ଭାରତୀ ଆଈମାର ଗୋଟା ଭକ୍ତ। ତାଙ୍କ ଚଷମା ଜୋତା କଲମ ଖୋଜାରେ ଭରତକୁ ଡାକରା ପଡୁଥାଏ।
ନୁଆଁ ନୁଆଁରେ ଗାଁ ଲଣ୍ଡା ପାହାଡର ଢ଼ିଙ୍କିଆ ବାଘ ଗର୍ଜନ ଗପ ନହେଲେ ପିଲାଖିଆ ଡାହାଣୀ ଗପ କହି ନିତି ରାତ୍ର ସରେ। ତା’ଠୁ ବଳିଗଲେ ଏକଦା ରାଜା ଥିଲେ ତାଙ୍କର ୪ଟି ପୁତ୍ର ଜଣେ ମାତ୍ର କନ୍ୟା ରହିଥିଲେ ବଡ ପୁତ୍ର ଅଳସୁଆ ଦ୍ୱତୀୟ ପରିଶ୍ରମୀ କ୍ରମରେ ଗପ ଶୁଣେଇଥିଲେ । ଉପର ଶ୍ରେଣୀରେ ପାଠ ପଢିଲେଣି ! ଆଈମା କାହାଣୀର ଗୁଣବତ୍ତାକୁ ନୁଆଁ ପନ୍ଥାକୁ ଆପଣାଇଲେ।

କୁମାର ପୁର୍ଣିମା ତିଥି ଜହ୍ନମାମୁଁ ବିନ୍ଦୁ ଚକା ଭଉଁରୀ! ଉଜ୍ଜଳ ଆଲୁଅରେ ଗାଁ ଦାଣ୍ଡ ରାସ୍ତା ପାଣିପରି ଦିଶୁଥିଲା। ସାଗର ଢେଉ ଚିକ ଚିକ ମାରୁଥିଲା ! ମୁକୁଳା ଆକାଶ ତଳେ ଛାତ ଉପରେ ଆଈମା ନାତୁଣୀ ନାତି ଗପ କୁହାରେ ଜମିଯାଇଥିଲେ। ତାଙ୍କ ଚନ୍ଦ୍ର ପୁଅର ଗୁମର ଟିକିନିଖି ଖୋଲି ଖୋଲି କହୁଥିଲେ। ଭାରତୀ ଭରତ ଜହ୍ନ ମାମୁଁ ସମ୍ବୋଧନ କରୁଥିଲେ! ଜହ୍ନ ମାମୁଁ ଘରେ ଘରେ ସୁପରିଚିତ।

ଭାରତୀ  ପଢ଼ାରେ ଧୁରନ୍ଧର ଇଁରାଜୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ରୀ ବୟସ ୧୧ କୁ ସ୍ପର୍ଶ କରିଥାଏ। ସାମାନ୍ୟ ପତଳା ୩୬ କେଜି ଓଜନ ରହିଥିଲା। ଗୋରା  ଚେହେରାରେ ଝଟକୁ ଥିଲା। ଭରତ  ତୃତୀୟ ଶ୍ରେଣୀ ଏକା ବିଦ୍ୟାଳୟରେ ପାଠ ପଢୁଥିଲେ। ଓଜନ ଭାର ୨୪ କେଜି ରହିଥିଲା। ତା’ବୟସ ୭ବର୍ଷ ପୁରିଥାଏ।

ମାଆ ଡାକ୍ତରାଣୀ ନିରୋଜା ଆର୍ମି ହସ୍ପିଟାଲରେ କର୍ତ୍ତବ୍ୟ ପରାୟଣ । ବାପା କର୍ଣ୍ଣଲ ସୁବାଷ ବାୟୁସେନାରେ କାର୍ଯ୍ୟ ରତ। ତନୟା ଭାରତୀ ଓ ଏକୋଇରବଳା ଭରତ ଉଭୟଙ୍କ ଦାୟିତ୍ୱ ଯେମିତି ଆଈମାଙ୍କ ହସ୍ତରେ ନ୍ୟସ୍ତକରି ଦେଇଥିଲେ।

ଆଈମାକୁ ଦୁହେଁ ଆଦର କରୁଥିଲେ। ଦୁହେଁଙ୍କୁ ସେ ଭାରି ଗେଲ କରୁଥିଲେ। ପିଲାଳିଆମୀ ପ୍ରକୃତି ପ୍ରତିଟି ମୁହୂର୍ତ୍ତରେ  ସେ ପରଖି ଥିଲେ। ନୀତିଶିକ୍ଷା ପ୍ରେରଣା ଦାୟକ ଗପ କହିବାକୁ ସେ ଜମା ଭୁଲୁ ନଥିଲେ। ମଝିରେ ମଝିରେ ବନ,ନଈ,ଝରଣା ,ସୌରମଣ୍ଡଳ,ପରିବେଶ ପଶୁ ପକ୍ଷୀଙ୍କ ସମ୍ପର୍କରେ ଗପ ଉଭୟଙ୍କୁ ଶୁଣାଉଥିଲେ। ଅଭିଜ୍ଞତାକୁ ଗପ ମାଧ୍ୟମରେ ଶିକ୍ଷାଦାନ ମୁଖ୍ୟ ଲକ୍ଷ୍ୟ। ପିଲେ ସ୍ମାର୍ଟ ଫୋନ ତେଣିକି କାର୍ଟୁନ ଟିଭିରେ ବ୍ୟସ୍ତ।

ଅନୁରୋଧ କ୍ରମେ ପ୍ରଥମ ଦିନ କୁମାର ପୁର୍ଣିମା ତିଥି ସେ ଗପ ପ୍ରାରମ୍ଭ କଲେ, ଚନ୍ଦ୍ର ପୃଥିବର ପ୍ରାକୃତିକ ଉପଗ୍ରହ ରୂପେ ଖ୍ୟାତ । କିଏତ ଦେବତା! ଅବା ଉପଗ୍ରହ ନାମରେ ପରିଚିତ। ପୁରାଣରେ ଚନ୍ଦ୍ର ଗାଥା ବର୍ଣ୍ଣିତ। ବିଜ୍ଞାନମତ, ଆମ ପୃଥିବୀର ଚନ୍ଦ୍ର’ ଏକ ଉପଗ୍ରହ।

ସୂର୍ଯ୍ୟଙ୍କ ଆଲୁଅରେ ଚନ୍ଦ୍ର ଆଲୋକିତ ତା’ଆଲୁଅରେ ଆମେ ସବୁ ଧୋବ ଧାଁଉଳିଆ! ମାମୁଁଙ୍କ ତ୍ୟାଗପଣ କାହାକୁ ଯେମିତି ଅଛପା ନଥିଲା? ସମସ୍ତଙ୍କର ଆଦର ଜହ୍ନମାମୁଁ! ତା'ଆଲୁଅରେ କଇଁ ପଦ୍ମ ଫୁଟେ।ସାଗର ଢେଉ ଉଚ୍ଚତା ବଢେ,ଋତୁର ରୀତିରେ ପାଣିପାଗ ବଦଳେ !

କାବ୍ୟ କବିତା ଗପରେ ଯୁବଯୁବା ଲେଖକଙ୍କ କଲମ ମୁନରେ ,ଚିତ୍ର ଆଙ୍କିଛି ତାର ହିସାବ ଜନମାନସରେ। ତା’ଆଦର ଜହ୍ନ ମାମୁଁ ସରାଗରେ ଜଳ ଆଞ୍ଜୁଳାଏ ! ଲିଆ ମୁଠାଏ ଅର୍ପଣ କଲେ। ମଫସଲି ଓ ସହରୀଙ୍କ ଜୀବନ ଶୈଳୀରେଏକ ପ୍ରଥା ପାଲଟିଲା।

ଆମେ ସବୁଏଠି ଜଳକା! ତା’ଆଲୁଅରେ ରାତି ଭ୍ରମରେ ଦିନ ହୁଏ। ଅପ୍ରମିତ ଭ୍ରମର ପକ୍ଷୀ ଦ୍ବନ୍ଦରେ ପଡୁଥିଲେ। ଗାଁ କୁଆଁରୀ କନିଆଁ ଆଶ୍ୱିନ ପୁର୍ଣିମାରେ ଜହିଁ ଓଷାରେ ସାଥି ପାଇଁ ମାନସିକ କରନ୍ତି। କୁଆଁର ପୁଅ ପର୍ବରେ ନାଚି ଉଠନ୍ତି । ଖୁସିର ମୁହୂର୍ତ୍ତ ଫେରିଥାଏ। ସ୍ୱାଦିଷ୍ଟ ଖାଦ୍ୟ ଘରେ ଘରେ? ବର୍ଷକରେ ୧୨ ଗୋଟି ପୁର୍ଣିମା। ପ୍ରତି ପୁର୍ଣିମାର ସ୍ୱତ୍ୱନ୍ତ୍ର ରହିଥାଏ। ବିଜ୍ଞାନୀ କଥା ରଖୁଥିଲେ। ମାଧ୍ୟାକର୍ଷଣ ବଳରେ ଅବା ଚୁମ୍ବକୀୟ ଶକ୍ତି ଦ୍ୱାରା ସୌର ମଣ୍ଡଳର ଅକୁହା କାହାଣୀ ବଖାଣୁ ଥିଲେ।  ତାଙ୍କ ଅତିପ୍ରିୟ ନାତିନାତୁଣୀକୁ ଗପ ଶୁଣାଉଥିଲେ।



କିଏ ଜାଣିଥିଲା ନାତୁଣୀ ଭାରତୀ ଏମିତି ଆଈମାକୁ ଅଡୁଆ ପ୍ରଶ୍ନ କରିବା? ଆଈମାଙ୍କ ଅକଲ ଗୁଡ଼ୁମୁ!

୧. What is Moon? Why it is called as Moon? ଆଈମା କିଛି ସମୟ ସ୍ତବ୍ଧହୋଇ ଯାଇଥିଲେ। ତାଙ୍କ ଶ୍ରେଣୀରେ ଉକ୍ତ ପ୍ରଶ୍ନ ତା’ସହପାଠିନୀ ପ୍ରୀତି ଭଦ୍ରା ସାରଙ୍କୁ ଏକା ପ୍ରଶ୍ନ କରିଥିଲା।

ସେ ମନେପକାଇ ଉତ୍ତର ରଖିଲେ। ଉଭୟଙ୍କ ମୁଖରେ ହସ ଫୁଟିଉଠୁଥିଲା ! ଚନ୍ଦ୍ର କିପରି ନାମ ପାଇଲେ? ମନଦେଇ ଶୁଣ , "ଚନ୍ଦ୍ର" ଶବ୍ଦଟି ପୁରୁଣା ଇଂରାଜୀ ଶବ୍ଦ "ମୋନା" ରୁ ଉଦ୍ଧୃତ ଯାହାର ଅର୍ଥ ହେଉଛି "ଚନ୍ଦ୍ର","ମୋନା" ଶବ୍ଦ ଅନ୍ୟ ଜର୍ମାନ ଭାଷା ଶବ୍ଦ ସହିତ ଜଡିତ,ଯେପରିକି ଜର୍ମାନ ଶବ୍ଦ "ମୋଣ୍ଡ" ଏବଂ ଡଚ୍ ଶବ୍ଦ "ମାନ ,ଗ୍ରୀକ ଶବ୍ଦରେ ସେଲେନ "ଏବଂରୋମୀୟମାନେ" ଚନ୍ଦ୍ର, ଲୁନା "ନାମ ଦେଇଥିଲେ। ଆଈଙ୍କ ଉତ୍ତର ଶୁଣିବା ମାତ୍ରେ ଉଭୟ ନାତିନାତୁଣୀ ଦୁହେଁ ମୁଣ୍ଡଟାକୁ ପୂର୍ବରୁ ପଶ୍ଚିମକୁ ହଲେଇ ଖୁସିବ୍ୟକ୍ତ କରିଥିଲେ।

୨.ଉତ୍ତର ସରୁ’ନସରୁଣୁ ଦ୍ଵିତୀୟ ପ୍ରଶ୍ନ, ଭାରତୀ ମୁଖରେ, ଚାନ୍ଦ ମାମାଙ୍କ ଘର କେତେଦୂର? ଆମେ ତାଙ୍କ ଘରକୁ ବୁଲିଯିବୁ?

ଆଈମା ଗପରୁ ଅଜାଙ୍କ ଚନ୍ଦନ ବଳିପଡିଲା ପରି ଦୋଛକିରେ ପଦାର୍ଥ ବିଜ୍ଞାନୀଙ୍କ ଅଗ୍ନି ପରୀକ୍ଷା? ସେ ଦ୍ଵିତୀୟ ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା କଲେ , କେମିତି ଗପରେ ସେ ବୁଝେଇବେ? ଚାନ୍ଦ ମାମୁଙ୍କ ଘର ଠିକଣା ଦୂରତା! ଚନ୍ଦ୍ର ପୃଥିବୀଠାରୁ କେତେ ଦୂର? ମେଜ ଉପର ମଗରୁ ଫୁଟା ପାଣି ଗିଲାସେ ଢକଢକ କରି ଉଦରସ୍ଥ କଲେ। ମନରେ ଉତ୍ତର ଆଈମା ସନ୍ଧାନ କରୁଥିଲେ।

ଚନ୍ଦ୍ର ଦୂରତାକୁ ଆଈମା ମାଇଲକୁ କିଲୋମିଟର ହିସାବ କଲେ। ବାରିପଟ, ଅବା ପୂର୍ବ ପଶ୍ଚିମ ଦିଗରେ ଯାତ୍ରା କଲେ ତା’ହାରାହାରି ଦୂରତା ପ୍ରାୟ ୩ଲକ୍ଷ ୮୪ ହଜାର ୪ଶହ କିଲୋମିଟର,ସେ ଉତ୍ତର ରଖିଥିଲେ।

ଆମ ପଡ଼ୋଶୀଙ୍କ ଦୂରତା? ଉଭୟେ ଅବକା ହୋଇଯାଇଥିଲେ! ଆଈମାର ମୁଖ ମଣ୍ଡଳକୁ ବୁଲୁବୁଲୁ କରି ଚାହୁଁଥିଲେ। ଆଈମା ଉତ୍ତର ଦୋହରାଇଥିଲେ। ଏକା ଉତ୍ତର ,ଠିକଣା ଆମ ପଡ଼ୋଶୀ! ପଡ଼ୋଶୀ ଘର ଦୂର! ମାନଚିତ୍ର ଛବିରେ ଇସାରା ଦେଇଥିଲେ । ଶେଷରେ ଆଈମା ମୁଣ୍ଡ ଉପରୁ ତଳକୁ ହଲାଇଲେ।

ଭରତ ଭାରତୀଙ୍କ ମମି ଡାକ୍ତରାଣୀ ନିରୋଜାଙ୍କ ଡାକରା ତୁହାକୁ ତୁହା ପଡୁଥାଏ । ଦୁହେଁ କର୍ଣ୍ଣପାତ କରିନଥିଲେ। ଗପରେ ମଜ୍ଜି ଯାଇଥିଲେ। ଖରା ଛୁଟିରେ ମାମୁଙ୍କ ଘରକୁ ଯିବା? ଆଈମା ମୁଣ୍ଡଟାକୁ ଦୁଇଥର ଟୁଁଗୁରାଇଥିଲେ। ହଁ ହଁ ତୁମେ ନିଶ୍ଚୟ ଯାଇପାରିବ।

ତୁମ ଦୁହିଁଙ୍କୁ  ଅଧିକ ପାଠ ପଢିବାକୁ ପଡ଼ିବ। ଅଧିକ ପାଠ ମାନେ? ତମେ ଯେଉଁ ଇଂରାଜୀରେ, “Tinkle Twinkle ,Little Star How Wonder What you are Up above the World so high Like a diamond in the sky ! ସେ ପାଠ ନୁହଁ, ମହାକାଶ ବିଜ୍ଞାନ! ଗ୍ରହ ନକ୍ଷତ୍ର,ବାୟୁ ମଣ୍ଡଳ ଏମିତି ତା’ହେଲେ ତୁମର ଚନ୍ଦ୍ରକୁ ଯିବାପାଇଁ ମାର୍ଗ ଖୋଲିବ। ଏକାଥରକେ ଭାରତୀ ଦୀର୍ଘ ନିଶ୍ୱାସ ଛାଡ଼ିଥିଲା !

ମମିଙ୍କ ଶେଷ ଡ଼ାକରାରେ ତିନିହେଁ ପୂନେଇଁ ଜହ୍ନକୁ ଲିଆ ଫୁଲ ଲକ୍ଷ୍ୟକରି ଅର୍ପଣ କରିଥିଲେ। 
ରାତ୍ରରେ ସ୍ୱାଦିଷ୍ଟ ଖାଦ୍ୟ ଉଭୟେ ଖୁସିରେ ଗପକୁ ଦୋହରାଇବାପାଇଁ ଅନୁରୋଧ କରିଥିଲେ। ଆଈମା କହିଲେ ଆସନ୍ତା କାଲି ଅବଶିଷ୍ଟ ଗପ, ତିନିହେଁ  ଶୋଇପଡିଲେ। ଚନ୍ଦ୍ରାଲୋକରେ ଗାଁ ଝଟକୁଥିଲା। ମାମୁଁ ଥକି ପଡ଼ିନଥିଲେ। ରାତ୍ର ସାରା ଉଜାଗର!

ଚନ୍ଦ୍ର ରାଇଜରେ ଆମ ଘର -ପ୍ରଥମ ଭାଗ (ଗଳ୍ପ ସଂଖ୍ୟା -୭)
(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment