ଗଙ୍ଗା ମାତା ଘାଟରେ ଦିନଟିଏ :କାଶୀ ବିଶ୍ୱନାଥ ପୀଠ A Day‘s Embrace: Ganga Mata Ghata and the Presence of Kashi Vishwanath

 



କା’ କା’ ରାବ ଶୁଭିଲା! ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାତ୍ର ପାହିଲା। ଡ଼ିପ ଡ଼ିପ ଚାହା ପ୍ରସ୍ତୁତିରେ ଅଂଶୀଦାର ହେଲୁ। ରହଣି କକ୍ଷର ପ୍ରାଚୁର୍ଯ୍ୟ ଚେତାଇ ଦେଲା! ଉଠ ଉଠ! ଏ ମାଟି ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ବତୀଘର! ମୁଣ୍ଡରେ ପଗଡି ଫଟୋଟିଏ ଝୁଲୁଥାଏ। ନିରବରେ ଦେଖୁ ଦେଖୁ କପରୁ ଚାହା ଶେଷ ଜାଣି ପାରିନଥିଲୁ! ଆଖିରୁ ନିଦଟା ଜମା ଛାଡ଼ିନଥିଲା। ଦ୍ଵିତୀୟ କପ ଗରମ ଚାହାର ସ୍ୱାଦ ନେଲୁ।

 ଦିନତମାମ କାଶୀ ବିଶ୍ୱନାଥ ପୀଠରେ ଦର୍ଶନ ରହିଥାଏ । ବିଳମ୍ବ ନକରି ଅତିଥି ଭବନର କେନ୍ଦ୍ରୀୟ କ୍ୟାଣ୍ଟିନକୁ ପ୍ରବେଶ କଲୁ। ପୁରୀ ,ସେକା ରୁଟି,ତଂଦୁରୁ ,ଛେନା,.ବୁଟ ତରକାରୀ ,ମିଠାଦହି, ସାଲାଡ଼,ବେରଂଗ ବ୍ୟଞ୍ଜନ। ସ୍ଵ-ପରସାରେ ସ୍ୱାଦିଷ୍ଟ ଜଳଖିଆ ମନଭରି ଆହାର କଲୁ। ପ୍ଲେଟ ପିଛା ୫୦ ଟଙ୍କା ସ୍ଥିରିକୃତ। ସସ୍ତ୍ରୀକ ଅଭ୍ୟର୍ଥନା କକ୍ଷ ବାରଣ୍ଡା ପ୍ରବେଶ ପଥରେ ଅକସ୍ମାତ ସାକ୍ଷାତ! ଜଣାଶୁଣା ପ୍ରିୟବନ୍ଧୁ ପ୍ରଦୀପ ପ୍ରଣତି ଦମ୍ପତି ଦୁହେଁ । ସ୍ୱାଗତ କଲୁ ପାଛୋଟି ନେଲୁ । ରେବତୀମାଙ୍କ ଅସ୍ତି ବିସର୍ଜନ ନିମନ୍ତେ ଧାର୍ମିକ ଯାତ୍ରା ରହିଥିଲା। ମିନତୀ ମନରେ ଖୁସି ଭଗ୍ନୀ ଦୁହେଁ ଗପିବାକୁ ଲାଗିଲେ ।



୮ ଅପ୍ରେଲ ୨୦୨୩ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ , କ୍ୟାମ୍ପସରୁ କାଶୀ ଯାତ୍ରା ସୂତ୍ରପାତ ହେଲା । ମନରେ ମହଣ ମହଣ ଖୁସି। ଆଧ୍ୟାତ୍ମିକ ଧାର୍ମିକ ପବିତ୍ର ତୀର୍ଥ ଯାତ୍ରା ଏ ଜନମରେ ପ୍ରଥମ ପାଦ ପଡ଼ିଲା ! ସାଥିରେ ଥାଆନ୍ତି ,ମିନତୀ ଧର୍ମପତ୍ନୀ ପ୍ରିୟବନ୍ଧୁ ପ୍ରଦୀପ ପ୍ରଣତି ଦମ୍ପତି ଭ୍ରମଣକୁ ଇନ୍ଧନ ଯୋଗାଉଥିଲେ ।

ନିଜସ୍ୱ ତୀର୍ଥ ଯାତ୍ରା। ଭ୍ରମଣ ପୂର୍ବରୁ ସହର ଇତିବୃତ୍ତି ଜାଣିବା ଅତିଜରୁରୀ! ଆଶଙ୍କା ଘନେଇଥାଏ। ପୃଷ୍ଠାଟିଏ ଓଲଟାଇଲୁ ସବୁଦିଗ ମାନଚିତ୍ରରେ ଦେଖିଲୁ କେଉଁଠି କଣ ?

କିପରି ବୁଲିଲୁ? କଣ କଣ ଦେଖିଲୁ,ଦର୍ଶନ, ଭଜନ,କୀର୍ତ୍ତନ, ପ୍ରସାଦ ସେବନ,ଖୁଆଲସି ,ଘାଟ,ସନ୍ଧ୍ୟା ଆରତୀ ଏକ ସଂକ୍ଷିପ୍ତ ବିବରଣୀ ।

👉ବାରଣାସୀ, କାଶୀ ନାମରେ ଖ୍ୟାତ । ହିନ୍ଦୁଧର୍ମର ରାଜଧାନୀ ରୂପେ ପରିଚିତ। ଭଗବାନ ବିଶ୍ୱନାଥ ,ପାର୍ବତୀଙ୍କ ଭୂଇଁ । ହିନ୍ଦୁଙ୍କ ତୀର୍ଥସ୍ଥଳ। କାଶୀ ବିଶ୍ୱନାଥ ମନ୍ଦିର ଜ୍ୟୋତିର୍ଲିଙ୍ଗର ଏନ୍ତୁଡ଼ିଶାଳ। ଶୈବ ଧର୍ମର ଶକ୍ତି ପୀଠ। ବିଶାଲକ୍ଷ୍ମୀ ଦେବୀଙ୍କ ମନ୍ଦିର, ସତୀଙ୍କର କାନଫୁଲ ପଡ଼ିଥିବାର ବିଶ୍ୱାସ କରାଯାଏ। ହିନ୍ଦୁ ଗଙ୍ଗା ନଦୀ ସ୍ନାନରେ ପାପ ବଦଳେ ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ହିନ୍ଦୁ ଧର୍ମର ସାତଟି ପବିତ୍ର ସହର (ସପ୍ତପୁରୀ) ମଧ୍ୟରୁ ବାରଣାସୀ ଅନନ୍ୟ। ଅଯୋଧ୍ୟା (Ayodhya) ମଥୁରା (Mathura) ମାୟା (Maya) (Haridwar) କାଶୀ (Varanasi),ବାରଣାସୀ (Kanchi) କାଞ୍ଚି, କାଞ୍ଚିପୁରମ (Kanchipuram) (Avantika) ଅବନ୍ତିକା (Ujjain),ଉଜ୍ଜୟିନୀ (Dwarka) ଦ୍ଵାରକା

👉The Sapatapuri meaning seven town hold immense importance in Hinduism, These seven holy town sites in India are believed to be the givers of liberation moksha from the cycle of birth and death .A well-known verse from the Garuda Puranaa (1.16.14) gorgeously encapsulates their potential.

अयोध्या मथुरा माया काशी काञ्ची अवन्तिका । पुरी द्वारावती चैव सप्तैताः मोक्षदायिका ।।

👉ଆଦି ଶଙ୍କରଚାର୍ଯ୍ୟ ଏଠୁ ହିନ୍ଦୁ ଧର୍ମର ମନ୍ତ୍ର ରଚନା କରିଥିଲେ। ୩ ହଜାର ୩ ଶହ ହିନ୍ଦୁ ମନ୍ଦିର ଧାର୍ମିକ ସ୍ଥଳ ,୧୨ ଟି ଚର୍ଚ୍ଚ, ୩ଟି ଜୈନ ମନ୍ଦିର, ୯ ବୌଦ୍ଧ ମନ୍ଦିର,୩ଟି ଗୁରୁଦ୍ୱାର (ଶିଖ ମନ୍ଦିର) ଏବଂ ୧ ହଜାରରୁ ଅଧିକ ମସଜିଦ ପବିତ୍ର ସ୍ଥାନ ସହର ଚୌହଦରେ ସ୍ଥାପିତ ।

୪ ରାତ୍ର ୩ ଦିନରେ କିପରି ସମ୍ଭବ ? ସମୟକୁ ଫେଡ଼ାଣ କରି କେଉଁଟିକୁ ଦେଖିବୁ ମାପିଚୁପି ଯାତ୍ରା ଜାରି ରହିଲା।

👉ବନାରସ ଘାଟ ତୀର୍ଥ ଯାତ୍ରୀର ନିତିଦିନିଆ ଉତ୍ସବ ମୁଖରିତ। ପ୍ରତିଟି ଘାଟର ଗୁରୁତ୍ୱ ଦେଖିବାକୁ ମିଳେ । ଶୁଣିଲୁ ଏଠି ୮୮ ଗୋଟି ଘାଟର ଧାର୍ମିକ ବିଶେଷତା ରହିଛି। ଦିନଟିରେ ଦର୍ଶନ କରିବା ସମ୍ଭବପର ନଥିଲା ! କାଶୀ ବିଶ୍ୱନାଥ ଦର୍ଶନ ପୂର୍ବରୁ ଗଙ୍ଗା କୂଳ ଘାଟରେ ପବିତ୍ର ସ୍ନାନ ପାଇଁ ଅଟୋ ଛୁଟିଲା।


👉ଘାଟ ପରେ ଘାଟ ଯାହାର ଏକ ସଂକ୍ଷିପ୍ତ ତାଲିକା .୧ .ଅସିଘାଟ ,୨.ଦଶାଶ୍ୱମେଧ ଘାଟ,୩. ମଣିକର୍ଣ୍ଣିକା ଘାଟ ୪.ପଞ୍ଚଗଙ୍ଗା ଘାଟ,୫.ଲଳିତା ଘାଟ ,୬. କେଦାର ଘାଟ ,୭. ହନୁମାନ ଘାଟ ,୮. ତୁଳସୀ ଘାଟ .୯.ଡକ୍ଟର ରାଜେନ୍ଦ୍ରପ୍ରସାଦ ଘାଟ . ୧୦.ସିନ୍ଧିଆ ଘାଟ, ୧୧. ହରିଶ୍ଚନ୍ଦ୍ର ,୧୨ . ମନ୍ଦିର ଘାଟ ,୧୩.ଦରଭଙ୍ଗା ଘାଟ,୧୪. ଚେତ ସିଂହ ଘାଟ , ୧୫. ଅହଲ୍ୟାବାଇ ଘାଟ ,୧୬. ଜୈନ ଘାଟ ,୧୭. ଗଣେଶ ଘାଟ, ୧୮ .ରାଜଘାଟ ଆଦି ତାଲିକା ଭୁକ୍ତ।

👉୧ .ଅସିଘାଟ :ଗଙ୍ଗା ଓ ଅସି ନଦୀର ସଙ୍ଗମ ସ୍ଥାନଟି ପବିତ୍ର ତୀର୍ଥ ସ୍ଥଳ ଭାବରେ ବିବେଚନା କରାଯାଏ। ଦେବୀ ଦୁର୍ଗାମାତା ମହିଷାସୁରକୁ ବଦ୍ଧ କରି ଏହି ଘାଟରେ ତାଙ୍କ ଅସ୍ତ୍ର (ଅସି)କୁ ବିସର୍ଜନ କରିଥିଲେ। ପ୍ରଥମେ ଆମେ ୪ ( ଦିପ୍ରମିପ୍ର ) ଘାଟର ଏକାଧିକ ପାବଛ ଦେଇ ଜଳକୁ ସ୍ପର୍ଶ କରିଥିଲୁ । ମସ୍ତକରେ ପଣ୍ଡିତେ ଜଳ ସିଞ୍ଚନ କରିଥିଲେ। ଅପ୍ରମିତ ନୌକା ଭାସମାନ ମୁଦ୍ରାରେ। କେଇ ଯାତ୍ରୀ ନଈ ସେ ପାଖକୁ ପାରି ହେଉଥିଲେ।

ପାହାନ୍ତି ରବି ଆଲୁଅରେ ଗଙ୍ଗା ମାତାକୁ ଦର୍ଶନ ପାଇଁ ଯେମିତି ସୂର୍ଯ୍ୟ ଦେବତା ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ। ଅଭୁଲା ଦୁର୍ଲଭ ମୁହୂର୍ତ୍ତ ଘାଟର ଦୃଶ୍ୟରେ ବିମୋହିତ ତୀର୍ଥ ଯାତ୍ରୀ ! ପୁଞ୍ଜା ପୁଞ୍ଜା ପର୍ଯ୍ୟଟକ ! ଦେଶୀ ତୀର୍ଥ ଯାତ୍ରୀଠୁ ବିଦେଶୀଙ୍କ ସଂଖ୍ୟା ଦେଖି ଚକିତ ହେଲୁ !

👉ମିନତୀ ପ୍ରଣତି ଚାହୁଁ ଥିଲେ କିପରି ଦଶାଶ୍ୱମେଧ ଘାଟରେ ବୁଡ଼ ପକାଇବେ! ସତକୁ ସତ କୂଳ କତିରେ ପହଂଚିଗଲୁ । ବଡବଡ କୋଠା ,ପୂଜା ସାମଗ୍ରୀ ତଳ ମହଲା ଦୋକାନ ଯାତ୍ରୀଙ୍କ ଭିଡ଼ ଦେଖିଲୁ। ପ୍ରଦୀପ ମୁଣ୍ଡ ହଲାଇ କହିଲେ, ଦିଲୀପ ଭାଇ ଏପରି ପ୍ରଶସ୍ତି ଘାଟ ପୂର୍ବରୁ ମୁଁ କେବେ ଦେଖିନଥିଲି! ଡାହାଣ ହାତର ପାପୁଲିର ବୁଢା ଅଂଙ୍ଗୁଳୀରେ ତାଙ୍କ ମନ୍ତବ୍ୟକୁ ସମର୍ଥନ ଦେଇଥିଲି ।

👉୨.ଦଶାଶ୍ୱମେଧ ଘାଟ: ଏକଦା ଭଗବାନ ସ୍ୱୟଂ ବ୍ରହ୍ମା ଅଶ୍ୱମେଧ ଯଜ୍ଞ ଆୟୋଜିତ କରିଥିଲେ। ଯଜ୍ଞ କୁଣ୍ଡ ରହିଥିବକି ନଥିବା ନାନା କଳ୍ପନା ଜଳ୍ପନା ଅଟୋ ଭିତରେ ବୁଟୁ ବାଟ ଚାଲିଥାଏ । ଚାଳକ ବନ୍ଧୁ କହିଲେ ,କେତୋଟି ଯଜ୍ଞକୁଣ୍ଡ ଦେଖିପାରିବେ ଯାହା ମଣିଷ କୃତ। ଘାଟର ଗୁରୁତ୍ୱ ଭଗବାନଙ୍କ ସମ୍ପର୍କ !,ସେ କହିଲେ ସନ୍ଧ୍ୟା ଆରତୀ ଘାଟରେ ଜନ ସମାଗମ ହୁଏ ।



ସମୟ ଠିକ ୭.୧୫ ଗଙ୍ଗା ମାଆଙ୍କୁ ଆରତୀ କରାଯାଏ। କିଛି ସମୟ ପରେ ଆମେ ୪ ଘାଟରେ ପାଦ ଦେଲୁ। ପ୍ରଶସ୍ତି ପାବଛ ,ତୋରଣ ,ଦୋକାନ ବଜ୍ଜାର ବହଳ! ଜଳ ସିଞ୍ଚନ କଲୁ । କାନ୍ଥରେ ବିଚିତ୍ର ଛବି ନିକଟରେ ସେଲ୍ଫି ନେଲୁ। ତାପରେ ଆମେ ୪ ନିକଟ ଘାଟରେ ପାଦ ଦେଲୁ ।

୧୭୪୮ ରେ ପେଶବା ବାଲାଜୀ ବାଜି ରାଓ ଘାଟ ସ୍ଥାପିତ କରିଥିଲେ। ୧୭୭୪ ମସିହାରେ ଇନ୍ଦୋର ରାଣୀ ଅହଲ୍ୟାବାଈ ହଲେକର ପୁନଃ ଘାଟ ଆଧୁନୀକରଣ କରିଥିଲେ ।

👉୩.ମଣିକର୍ଣ୍ଣିକା ଘାଟ: ୟାରୀ ଭିତରେ ଆମେ ମଣିକର୍ଣ୍ଣିକା ଘାଟରେ ସ୍ପର୍ଶ କରିଥିଲୁ। ଭିନ୍ନରୂପ ଭିନ୍ନ ଦୃଶ୍ୟ ପାହାଚ ତଳକୁ ଯାଇପାରିନଥିଲୁ ! ଧୂଆଁ ଧୂଆଁ କୁଣ୍ଡଳିକୃତ ଧୂଆଁ ଉପର ମୁହାଁ! ଅନେକଙ୍କ ଜୁଇ ହୁତୁ ହୁତୁ ଜଳୁଥାଏ । କିଏ ବଡ ? କିଏ ସାନ ? ଧନୀ ଦରିଦ୍ର ,ରଜାପ୍ରଜା ଏକ। ଦୁନିଆର ଦୁଇ ନିଆଁ!

ମଣିକର୍ଣ୍ଣିକା ଏକ ଶ୍ମଶାନ ଆମକୁ ମାଲୁମୁ ନଥିଲା ? ପିଳେହି ପାଣି ! ଏଇଟି ଆମର ପ୍ରଥମ ମଣିକର୍ଣ୍ଣିକା ଘାଟ ଦର୍ଶନ ରହିଥିଲା । ପ୍ରଦୀପ ଭାଇ ସମୟ ଏକ ଲୟରେ ଅନେଇ ରହିଥିଲେ। ଆହାଃ ଜୀବନଟି ଚାଲିଗଲା ! ଏକାଧିକ ମନ୍ତ୍ର ସହ ରାମ ନାମ ସତ୍ୟ ହେ ଗୁଞ୍ଜରଣ ହେଉଥିଲା। ମନରେ ବିଷାଦର ଛାୟା ଘୋଟି ଯାଇଥିଲା। ଗୁମ ସୁମ ! ମୃତ୍ୟୁକୁ ଭୟ କାହାର ନାହିଁ ?

👉୪.ପଞ୍ଚ ଗଙ୍ଗା ଘାଟ: ପାଞ୍ଚଟି ନଦୀର ସଙ୍ଗମର ସ୍ଥଳଟିରେ ପଞ୍ଚଗଙ୍ଗା ଘାଟ ନାମକରଣ ମନରେ ଆଧ୍ୟାତ୍ମିକଭାବ ପ୍ରବଣତା ମିନତୀ ପ୍ରଣତି ଦୁଇ ଭଗ୍ନୀଙ୍କ ଦୃଷ୍ଟି ଗୋଚର ହୋଇଥିଲା। ସମୂହ ବୁଡ଼ ପାରିଲୁ। ଗଙ୍ଗା ଯମୁନା ,ସରସ୍ବତୀ ,କିରଣ ଧୂପାପା ନଦୀର ଅପାର ସଙ୍ଗମ ! ମଉକା ଦେଖିଲୁ ପୁଣ୍ୟ ପାଇଁ ତିଳ ତର୍ପଣ କଲୁ। ଅନେକ ସାଧୁ ସନ୍ଥଙ୍କ ଭଜନ କୀର୍ତ୍ତନ ଚାଲିଥିଲା । ଶୈବ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ପାଇଲୁ। ସେଠୁ ଆମ ଅଟୋ ଅଣ ଓସାରିଆ ସଡ଼କରେ ଛୁଟିଲା।




👉୫.ଲଳିତା ଘାଟ :ପଡୋଶୀ ରାଷ୍ଟ୍ର ନେପାଳ ନରେଶ ଏକଦା ଲଳିତା ଘାଟଟି ନିର୍ମାଣ କରିଥିଲେ ତୀର୍ଥ ମାହାତ୍ମ୍ୟ ଘାଟର ପବିତ୍ରତା ଉଲ୍ଲେଖ ରହିଛି। ଲଳିତା ନାମଟି ହିନ୍ଦୁ ଦେବୀ ଲଳିତା ତ୍ରିପୁରା ସୁନ୍ଦରୀ ସୁନ୍ଦର ,ଶକ୍ତିର ,କୃପାର ଦେବୀ ନାମରେ ଖ୍ୟାତ। ପାଗୋଡା ଶୈଳୀରେ ଘାଟ ତୋରଣଟି ଜଣାଶୁଣା। ଏଠି ସ୍ନାନଦ୍ୱାରା ପୁଣ୍ୟ ପ୍ରାପ୍ତି ହୁଏ । ଆମେ ୪ ସ୍ୱଚ୍ଛ ଜଳକୁ ନିରେଖିଥିଲୁ। ତାପରେ କେଦାରେଶ୍ୱର ଘାଟରେ ପାହାଁମୁଣ୍ଡି ପଡ଼ିଲୁ।

👉୬. କେଦାର ଘାଟ : ଭୋଳାନାଥ ଶିବଶଙ୍କର ଭଗବାନ (କେଦାରେଶ୍ୱର )ଙ୍କ ନାମିତ ଘାଟର ମାହାତ୍ମ୍ୟ ପ୍ରାଚୀନ ଗାଥା ବହନ କରୁଥାଏ । ଏଇ ଘାଟ ଦର୍ଶନ ପରେ ବିଶ୍ୱନାଥଙ୍କ ଦର୍ଶନରେ ପାପରୁ ମୁକ୍ତି ମିଳେ। ଘାଟରେ ଶୈବ ଶ୍ରଦ୍ଧାଳୁ ଲମ୍ବାଧାଡ଼ି ଲାଗି ରହିଥିଲା । ଜଳ ସିଞ୍ଚନରେ ନିଜକୁ ଧନ୍ୟ ମନେକଲୁ । ତୀର୍ଥଯାତ୍ରୀ ଅନେକ ଯୁବଯୁବା ପାହାଁମୁଣ୍ଡି ପଡୁଥିଲେ।

👉୭. ହନୁମାନ ଘାଟ : ବୀର ବଜରଙ୍ଗ ଶ୍ରୀ ହନୁମାନ ଭଗବାନ ଶ୍ରୀ ରାମ ,ସୀତା ରାମାୟଣ ତ୍ରେତୟା ଯୁଗ ସହ ଜଡିତ। ଦିଅଁ ଦେବତାଙ୍କ ମଧ୍ୟରେ ବାନର ରାଜା ହନୁମାନଙ୍କ ନାମର ଘାଟଟି ଦେଖି ଚକିତ ହେଲୁ। ଶିଷ୍ୟଙ୍କ ନାମରେ କାଶୀ ପୀଠରେ ଘାଟ । ଆଗ ପଛ ନ’ଭାବି ୩ ଥର ଜଳ ଆଞ୍ଜୁଳା ଅର୍ପଣ କରିଥିଲୁ। "ଜୟ ବଜରଂଗୀ କି ଜୟ ହୋ ଧ୍ୱନି" ଉଚ୍ଚାରଣ କରି ଘାଟରୁ ଅନ୍ୟ ଘାଟକୁ ଛୁଟିଲୁ।

ପ୍ରଣତି ଅଧା ବାଟରୁ କହୁଥିଲେ, କବି ତୁଳସୀ ଦାଶଙ୍କ ଘାଟକୁ ଯିବେ ପଂକ୍ତିଟିଏ ରାମଚରିତ ମାନସ ଗାୟନ କରିବେ। ସେ ମାନସିକ ରଖିଥିଲେ। ତାଙ୍କ ଆଶା ପୂରଣରେ ପହଁଚି ଗଲୁ । ସେ ଭଗବାନ ଶ୍ରୀ ରାମଙ୍କ ଜୀବନୀ ଗାଥା ଗାୟନ କଲେ। ଆମେ ୩ ଶୁଣିଲୁ। ଗଙ୍ଗା କୂଳରେ ଏକ ସୁଯୋଗ ପାଇଲୁ।



👉୮. ତୁଳସୀ ଘାଟ:ପ୍ରଖ୍ୟାତ କବି ତୁଳସୀ ଦାଶଙ୍କ ନାମରେ ନାମିତ କରାଯାଇଥିଲା । ସେ ମହାକାବ୍ୟ ରାମ ଚରିତମାନସ ରଚନା କରିଥିଲେ। ଘାଟରେ ସ୍ନାନ ଦ୍ୱାରା ଭକ୍ତଙ୍କ ଚର୍ମ ରୋଗରୁ ମୁକ୍ତି ମିଳିଥାଏ। କେଉଁ ଯୁଗରୁ ଅତୁଟ ବିଶ୍ୱାସ ରହିଛି। ପିଲାଠୁଁ ବୁଢା ଦିଣ୍ଡା ଠୁ ଭେଣ୍ଡା ପର୍ଯ୍ୟନ୍ତ ଘାଟରେ ବୁଡ଼ ପାରୁଥିଲେ। ଆମେ ୪ ପଛରେ ପଡ଼ିନଥିଲୁ। ଦେହ ଥଣ୍ଡାରେ ଶୀତେଇ ଯାଇଥିଲା। ମାତ୍ର ୨ଟି ଘାଟ ବୁଡ଼ ପାରିବାକୁ ଥାଏ।

👉୯.ଡକ୍ଟର ରାଜେନ୍ଦ୍ରପ୍ରସାଦ ଘାଟ: ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାମରେ ଏକ ଘାଟ ଉକୁଟି ମାରୁଥିଲା । କୁଆଡେ ଜଳର ପରିସ୍କାର ମାତ୍ରାଅଧିକ ରହିଥିଲା। ଅଧିକ ସ୍ଥାନୀୟ ଜନ ବହଳ ଦେଖିଲୁ। ସେମାନେ ସଭିଏଁ ଭୋଜପୁରୀ ଭାଷାରେ ଆଲୋଚନା ରତ ଥିଲେ।

👉୧୦.ସିନ୍ଧିଆ ଘାଟ : ଏକ କିମ୍ବଦନ୍ତୀ ଛୁଁପିଥିଲା କୁଆଡେ ଅଗ୍ନି ଦେବତା ଏହି ଘାଟରୁ ଜାତ ହୋଇ ଥିଲେ । ତାଙ୍କରି ଜନ୍ମ ବୃତ୍ତାନ୍ତରୁ ଘାଟର ପବିତ୍ରତା ଖ୍ୟାତ। ହିନ୍ଦୁ ତୀର୍ଥ ଯାତ୍ରୀଙ୍କ ବୁଡ଼ ପାରିବା ପାଇଁ ବର୍ଷର ସବୁ ଦିନରେ ଏଠି ସ୍ନାନ ଯାତ୍ରାର ଭ୍ରମ ଦେଖିବାକୁ ମିଳିଲା। ଚିରାଚରିତ ଢଙ୍ଗରେ ପ୍ରଥମେ ମିନତୀ ପ୍ରଣତି ଜଳ ଅର୍ପଣ କରିଥିଲେ। ପରେ ପରେ ଚାଳକ ସୁଧୀର ସହ ଆମ ଦି -ଜଣ ୩ ଆଞ୍ଜୁଳା ଜଳ ଅର୍ପଣ କଲୁ ।


👉୧୧. ହରିଶ୍ଚନ୍ଦ୍ର ଘାଟ : ,ଶବଦାହ ପାଇଁ ଜଣାଶୁଣା ,ରାଜା ହରିଶ୍ଚନ୍ଦ୍ରଙ୍କ ନାମରେ ଘାଟଟି ନାମିତ । ସତ୍ୟବାଦୀ ପାଇଁ ଜଣଶୁଣା। ମଣିକର୍ଣ୍ଣିକା ଘାଟ ପରେ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଘାଟ ଜଣାଶୁଣା ।

👉୧୨. ମନ୍ଦିର ଘାଟ : ଜୟପୁର ରାଜା ମାନ ସିଂହ ଷୋଡ଼ଶ ଶତାବ୍ଦୀରେ ନିର୍ମିତ କରିଥିଲେ । ଯାହାକୁ ସମେଶ୍ଵର ଘାଟ ନାମରେ ପରିଚିତ । ସ୍ଥାପତ୍ୟଟି ରାଜପୁତ୍ର ମହାରାଜା ଜୟ ସିଂହ ଦ୍ଵିତୀୟଙ୍କ ଦ୍ୱାରା ୧୮ ଶତାବ୍ଦୀରେ ପୁନଃ ନିର୍ମିତ କରିଥିଲେ। ଧାର୍ମିକ ଦୃଷ୍ଟିରୁ ଘାଟର ଗୁରୁତ୍ୱ ଦେଖିବାକୁ ପାଇଲୁ।


👉୧୩.ଦରଭଙ୍ଗା ଘାଟ: ବିଂଶଶତାବ୍ଦୀର ପହିଲାରେ ବିହାର ରାଜ ପରିବାର ଦ୍ୱାରା ଘାଟ ଓପ୍ରାସାଦ ମୁଖ୍ୟ ଆକର୍ଷଣ ,ଏକ ଐତିହାସିକ ହୋଟେଲର ବିନ୍ଦୁ। ଅନେକ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ।



👉୧୪. ଚେତ ସିଂହ ଘାଟ : ଅଷ୍ଟାଦଶ ଶତାବ୍ଦୀରେ ମହାରାଜା ଏଠି ବ୍ରିଟିଶ ବିରୁଦ୍ଧରେ ଯୁଦ୍ଧ କରିଥିଲେ ,ଐତିହାସିକ ଦୃଷ୍ଟିରୁ ଘାଟ ଗୁରୁତ୍ୱ ବହନ କରେ। ମୂର୍ତ୍ତି ନିକଟରେ ଫଟୋଟିଏ ନେଇଥିଲୁ । ରାଜପୁତଙ୍କ ମେଲଣ ଦେଖିବାକୁ ପାଇଲୁ।



👉୧୫. ଅହଲ୍ୟାବାଇ ଘାଟ : ଅଷ୍ଟାଦଶ ଶତାବ୍ଦୀରେ ଇନ୍ଦୋରର ରାଣୀ ଅହଲ୍ୟା ବାଇ ହଲେଙ୍କରଙ୍କ ଦ୍ୱାରା ନିର୍ମିତ।କାଶୀ ପୀଠରେ ସ୍ଥାପତ୍ୟ ନିର୍ମାଣରେ ସର୍ବାଗ୍ରେ।ତାଙ୍କ ମୂର୍ତ୍ତି ନିକଟରେ ଫଟୋଟିଏ ନେଇ ମନକୁ ଖୁସି କରିଥିଲୁ ।

👉୧୬. ଜୈନ ଘାଟ : ବିଂଶଶତାବ୍ଦୀରେ ଜୈନ ସମ୍ପ୍ରଦାୟ ଦ୍ୱାରା ଖରିଦ ସୂତ୍ରରେ ୭ମ ତୀର୍ଥଙ୍କର ସୁପାର୍ଶ୍ୱନାଥ ଜନ୍ମସ୍ଥଳ ଭାବରେ ବିବେଚନା କରାଯାଏ । ଅନେକ ଜୈନଭକ୍ତ ସ୍ନାନ କରୁଥିଲେ।




👉୧୭. .ଗଣେଶ ଘାଟ : ଗଣେଶ ଅତିଥି ଭବନ କତିରେ ଘାଟ ଉଙ୍କି ମାରୁଥିଲା। ପାବଛରେ ଘଡ଼ିଏ ବିଶ୍ରାମ ନେଲୁ। ଫଟୋଟିଏ ଉଠାଇ ଅନ୍ୟ ଏକ ଘାଟକୁ ଅଗ୍ରସର ହେଲୁ।

👉୧୮. ରାଜଘାଟ : କାଶୀ ରେଳ ଷ୍ଟେସନ ନିକଟରେ ଘାଟ ଦେଖିବାକୁ ପାଇଲୁ। ମୁଖ୍ୟତଃ ପିଣ୍ଡ ଦାନ ଓ ଅସ୍ତିବିସର୍ଜନ ଉତ୍ସବ ପାଇଁ ଯାତ୍ରୀ ରୁଣ୍ଡ ହୋଇଥିଲେ। ମୁଣ୍ଡନ ମଣ୍ଡପରୁ ଆତ୍ମୀୟ ବାହୁଡ଼ିଥିଲେ । ଅପରାହ୍ନ ଲଗ୍ନ ବେଳାରେ ରେବତୀ ମାଆଙ୍କ ଆତ୍ମାର ସଂସ୍କାର ପାଇଁ ପ୍ରଣତି ପ୍ରଦୀପ ଦୁହେଁ ଅସ୍ତି ବିସର୍ଜନ ନୀତିକାନ୍ତିରେ ଘାଟରେ ବ୍ୟସ୍ତ ରହିଲେ। ବହୁ ତୀର୍ଥ ଯାତ୍ରୀଙ୍କ ଲେଉଟାଣି ଯାତ୍ରା ଦେଖିବାକୁ ପାଇଲୁ। କାଶୀ ରେଳ ଷ୍ଟେସନ ଅତିନିକଟତର।. ଦେଢ଼ ଡଜନେ ଘାଟ ବୁଲାବୁଲି କଲୁ ବୁଡ଼ ପକାଇଲୁ । ଗଙ୍ଗାର ପଶ୍ଚିମ କୂଳ ଘାଟ ସମୂହରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ସବ ମୁଖରିତ ହେଉଥିଲା । ବନାରସ ନରେଶ ,ପେଶୱାର ,ହଲେକାର ,ସିନ୍ଧିଆ ,ନେପାଳ ,ଜୟପୁର ନରେଶଙ୍କ ପୃଷ୍ଠପୋଷକତାରେ ଅଷ୍ଟାଦଶ ଶତାବ୍ଦୀରେ ଘାଟ ଗୁଡିକର ପୁନରୁଦ୍ଧାର ର ସୂଚନା ପାଇଲୁ।


👉ଗଙ୍ଗା ନଦୀର ପ୍ରାନ୍ତ ଘାଟରେ ଦୀର୍ଘ ନିଶ୍ୱାସଟିଏ ଛାଡ଼ି କୂଳରେ ଟାକି ବସିଥିବା ଚାହା ଷ୍ଟଲରେ ଦାଖଲ ହେଲୁ। ଗଙ୍ଗା ଗୋଧୂଳିରେ ରକ୍ତିମ ଆକାଶରେ ରବି ଓହ୍ଲାଇ ଯାଉଥିଲେ । ଗଙ୍ଗା ଜଳରେ ପ୍ରତିବିମ୍ବ ଝଲସି ଉଠୁଥିଲା। ମେଞ୍ଚେ ପକ୍ଷୀ ଡେଣା ମେଲାଇ ବସାକୁ ବାହୁଡ଼ିଥିଲେ।



ଆହାଃ କି ସୁନ୍ଦର ! ହାତରୁ କପଟିଏ ଥୋଇଦେଇ ଅଟୋରେ ଆଗକୁ ବଢିଥିଲୁ। ଗଙ୍ଗା ଆରତୀ ପୂର୍ବରୁ ହାଜିରା ଦେବାକୁ ପଡିବ ! ଘାଟରେ ତରଣୀର ସାହୁକାର ଛକି ଥିବ? କେଉଁ ଶ୍ରଦ୍ଧାଳୁ ତାର ଯାତ୍ରୀ ହେବେ! ଆମେ ସୁଧୀର ଚାଳକ ଉପରେ ନ୍ୟସ୍ତ କରିଥିଲୁ ।



👉ଘଣ୍ଟାଏ ପୂର୍ବରୁ ଆମେ ୪ ଦଶାଶ୍ୱମେଧ ଘାଟରେ ହାଜିରା ଦେଲୁ। କୈବର୍ତ୍ତ ଯୁବକ ଘାଟକୁ ଯେମିତି ଟାକି ବସିଥିଲା। ଆମେ ଚାରି ସନ୍ଧ୍ୟାର ଯାତ୍ରୀ । ନୌକାମୟ ଜଳରାଶି ଦେଖା ଯାଉନଥିଲା। ଗୋଟିଏ ପାର୍ଶ୍ୱରେ ବିଶ୍ୱନାଥଙ୍କ କୂଳ ବିପରୀତ ଦିଗରେ ମାତା ଗଙ୍ଗା ନଦୀ ଜଳ ଉପରେ ତରଣୀରେ ଆମେ ୪ (ଦିପ୍ରମିପ୍ର )। ଡାକଯନ୍ତ୍ର ସହାୟତାରେ ଭଜନ ଲଗାତାର ଶୁଭୁଥିଲା। ଘାଟ ଉଛୁଳି ପଡୁଥିଲା!


👉ଅନ୍ଧାର ଯେତିକି ମାଡି ଆସୁଥାଏ ଭକ୍ତଙ୍କ ଧ୍ୱନୀର ମାତ୍ରା ବଢୁଥାଏ। ରୋପ୍ୟମୟ ଆଲୁଅରେ ଅଂଶୀଦାର ହୋଇଛି ,ସେ ନିଶ୍ଚୟ କହି ପାରିବେ ? ଗଙ୍ଗା ଆଳତୀର ମୁହୂର୍ତ୍ତ ! ଅକଳ୍ପନୀୟ  ଅବିଶ୍ଵସନୀୟ ! ମହୂର୍ତ୍ତଟିକୁ ଟାକି ବସିଥିଲୁ। ୭ ଟି ପ୍ରଦୀପ ପ୍ରଜ୍ଜ୍ୱଳନ ହେଲା। ମନ୍ତ୍ର ଗୁଞ୍ଜରଣରେ ଫାଟି ପଡିଲା।
କାଶୀ ଧାମର ରୀତିନୀତିରୁ ବୁଡ଼ ଶବଦାହ ସାଧନା। ବାରଣାସୀରେ ଘାଟ ପରେ ଘାଟ ଦର୍ଶନ କଲୁ ଜଳ ହିଁ ଜଳ ଗଙ୍ଗା ଜଳ! ଶିବଙ୍କ ମନ୍ତ୍ର "ହର ହର ମହାଦେବକି ଜୟ " ଏବେବି କାଶୀ ବିଶ୍ୱନାଥ ବନାରସ ଘାଟ ର ଜନ ସମୁଦ୍ର ଭକ୍ତଙ୍କ ଅତୁଟ ମିଳନ ଅବିସ୍ମରଣୀୟ ।

ଗଙ୍ଗା ମାତା ଘାଟରେ ଦିନଟିଏ :କାଶୀ ବିଶ୍ୱନାଥ ପୀଠ A Day‘s Embrace: Ganga Mata Ghata and the Presence of Kashi Vishwanath


(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes,(ଦିପ୍ରମିପ୍ର )(ଦିଲିପ,ପ୍ରଦୀପ ,ମିନତୀ ପ୍ରଣତି) 

୧.ଉଇକି ପିଡ଼ିଆ ବାରଣାସୀ ଫାଇଲ ବ୍ୟବହାର। 

Comments

Post a Comment