୩ ଦିନ ୪ ରାତ୍ରର ବିଏଚୟୁ ଅନୁଭୂତି MY 3 day ,4 Night Experience at BHU



୯ ଅପ୍ରେଲ ୨୦୨୩ରେ ସନ୍ଧ୍ୟାରେ ବିଏଚୟୁ ଲଙ୍କା ଚୌକରେ ମୁକସାକ୍ଷୀ ମହାନ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ମଣ୍ଡପ ! ଆମ ଅଟୋ ନରମି ଗଲା। ବାଁ ପଟରେ ଶଙ୍ଖ ମଲମଲ ପ୍ରସ୍ତର ଖଣ୍ଡଟିରେ ତିଥି ତାରିଖ ,ଲଗ୍ନ ବେଳା ଇସାରା ଦେଉଥିଲା ! ମହାମାନ ପଣ୍ଡିତ ମଦନ ମୋହନ ମାଲବ୍ୟ ,୨୫.୧୨.୧୮୬୧-୧୨.୧୧.୧୯୪୬) ସ୍ଵର୍ଣ୍ଣ ଅକ୍ଷରରେ ଜନ୍ମ ଜାତକ ଲିପିବଦ୍ଧ।

ଇଲାକାରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ। ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ବୃହତ୍ତ ପ୍ରବେଶ ଦ୍ୱାର ଉକୁଟି ମାରୁଥିଲା।

ମହାରାଜା ସଂବାଜିରାଓ ଗାଇକୱାର୍ଡ ବରୋଦାଙ୍କ ଆର୍ଥିକ ସହାୟତାରେ ଗାଇକୱାର୍ଡ ଗ୍ରନ୍ଥାଗାର ମୁକସାକ୍ଷୀ। ୧୮୯୮ ମସିହାରେ ମହିୟସୀ ମହିଳା ଆନିବେସାନ୍ତଙ୍କ ପ୍ରତିଷ୍ଠିତ କେନ୍ଦ୍ର ହିନ୍ଦୁ ମହାବିଦ୍ୟାଳୟ ଦିନେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଏକ ନବକଳେବର ୪ ଫେବୃଆରୀ ୧୯୧୬ ମସିହାରେ ପ୍ରତିଷ୍ଠା ହୋଇଥିଲା।

ଅଗ୍ରଣୀ ଭୂମିକାରେ ପଣ୍ଡିତ ମଦନ ମୋହନ ମାଲବ୍ୟ, ଆନିବେସାନ୍ତ ରାମେଶ୍ୱର ସିଂ ମହାରାଜା ଦରଭଙ୍ଗା ,ପ୍ରଭାସ ନାରାୟଣ ସିଂ ,ସୁନ୍ଦର ଲାଲ ,ଆଇନ ଜୀବି,ଆଦିତ୍ୟ ନାରାୟଣ ସିଂହ ମିଳିତ ଉଦ୍ୟମରେ ସପନ ସାକାର ହୋଇଥିଲା।


ଶିକ୍ଷାର ମନ୍ଦିରକୁ ଅଟୋ ପ୍ରବେଶ କଲା। ମନ୍ଥର ଗତିରେ ପ୍ରଶସ୍ତି ସଡ଼କରେ ଗଡିବାକୁ ଲାଗିଲା। କାଶୀ ନଗରୀରୁ ଲେଉଟାଣି ଯାତ୍ରା ପ୍ରାନ୍ତରେ ରହିଥିଲା। କ୍ୟାମ୍ପସରେ ୪ ରାତ୍ର ୩ ଦିନର ଅନୁଭୂତି ନକହିଲେ ଯାତ୍ରା ଯେମିତି ଅଧୁରା ରହିଯିବ। ରହଣି ,ଚାହାଣି ,ଶିକ୍ଷା ଗବେଷଣା ଛାତ୍ର ଛାତ୍ରୀ .ଗବେଷକ ,ବିଦ୍ୱାନ ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ରାବାସ,ପରିବେଶ ଯାହା ଦେଖିଲି ତାର ଏକ ସଂକ୍ଷିପ୍ତ ବିବରଣୀ ମାତ୍ର।

ବିଶ୍ୱବିଦ୍ୟାଳୟ ଅଧୀନରେ ୨ ଟି ବୃହତ୍ତ କ୍ୟାମ୍ପସ ସଞ୍ଚାଳିତ। ପ୍ରମୁଖ କ୍ୟାମ୍ପସ ୧,୩୭୦ ଏକର (୮.୫.କି.ମି ) ବନାରସ ନରେଶ ପ୍ରଭୁ ନାରାୟଣ ସିଂହ ଙ୍କ ଦାନର ଜମିରେ ନିର୍ମିତ କ୍ୟାମ୍ପସ ଦେଖିଲୁ ।ଦ୍ଵିତୀୟ ଦକ୍ଷିଣ କ୍ୟାମ୍ପସ ପ୍ରାୟ ୨,୭୦୦ ଏକର (୧୧ କ.ମି ) ସୁନ୍ଦରପୁର ଆଦିତ୍ୟ ନାରାୟଣ ସିଂହ କୃଷି ବିଜ୍ଞାନ କେନ୍ଦ୍ର ନିର୍ମିତ। ଅବଶ୍ୟ କ୍ୟାମ୍ପସଟି ମିର୍ଜାପୁର ଜିଲ୍ଲାର ବରକଚ୍ଛାରେ ସ୍ଥାନିତ। ବାରଣାସୀ ଠାରୁ ଦୂର ୩୬୦ କିଲୋମିଟର। ଆମେ ବୁଲାବୁଲି କରିବା ସମ୍ଭବପର ନଥିଲା।


ଦେଶ ବିଦେଶରୁ ଶିକ୍ଷାର୍ଥୀଙ୍କ ବିଏଚୟୁ ପ୍ରଥମ ପସନ୍ଦ! ଗୋଟିଏ ନୁହଁ ଦୁଇଟି ନୁହଁ ୪୮ ଗୋଟି ଦେଶରୁ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିଲେ। ପ୍ରାୟ ୩୦ ହଜାର ଶିକ୍ଷାର୍ଥୀ ଅଧ୍ୟୟନ ରତ। ୬୬ ଗୋଟି ହଷ୍ଟେଲ ରେ ୧୮ ହଜାର ବିଏଚୟୁ କ୍ୟାମ୍ପସରେ ଆବାସିକ ରହୁଥିଲେ। ସୁବ୍ୟବସ୍ଥା କ୍ୟାମ୍ପସ ଦିନ ରାତ୍ରର ଫରକ ବାରି ହେଉନଥିଲା । ୧୪ ଟି ସୋପାନ ବିଷୟରେ ୧୪୦ ଗୋଟି ପାଠ୍ୟକ୍ରମ ଶିକ୍ଷାଦାନକୁ ଗୁରୁତ୍ୱ ଦିଆ ଯାଉଥିଲା। କୋଠା ଗୁଡିକର ଗଢ଼ଣ ମନ୍ଦିର ଚୁଳ ପରି ଦେଖାଯାଉଥିଲା ।

କାଶୀ ନଗରୀର ବୃହତ ବୃକ୍ଷମାନ ସବୁ ଯେମିତି ବିଏଚୟୁ କ୍ୟାମ୍ପସକୁ ଚାଲି ଆସିଥିଲେ। ସବୁଜିମା ଭରା ଉଦ୍ୟାନ ମାଳ ଚଉପାସରେ ଘେରି ରହିଥିଲା। ସବୁଜ ଚାଦର ଘୋଡ଼ଣୀ ଶିକ୍ଷା ମନ୍ଦିରରେ ଗବେଷଣାରତ ଶିକ୍ଷାର୍ଥୀ।

ଆଦର୍ଶ ଛାତ୍ର ଛାତ୍ରୀ ଜଗତରେ ନାମକରା ବିଜ୍ଞାନୀ ସାହିତ୍ୟକାର,ବିଦ୍ୱାନ ତାଲିକାରେ ବିଏଚୟୁ ସ୍ଥାନ ଅନନ୍ୟ। ବହୁ ଯୋଗଜନ୍ମା ପ୍ରାକ୍ତନ ଶିକ୍ଷାର୍ଥୀ ସିଭି ରମଣ (ଭାରତ ରତ୍ନ) ବିଶେଶ୍ୱର ପ୍ରସାଦ କୋଇରଲା ,ପ୍ରଧାନମନ୍ତୀ ନେପାଳ ,କୃଷ୍ଣକାନ୍ତ ଉପରାଷ୍ଟ୍ରପତି ,ଭାରତ ,ସର୍ବପଲ୍ଲୀ ରାଧାକୃଷ୍ଣ ,ମନୁ ଭଣ୍ଡାରୀ,ବିଭୁତି ନାରାୟଣ ସିଂ,ଶେଷ ମହାରାଜା ବନାରସ ପୃଷ୍ଠାରୁ ପଢ଼ି ଜାଣିଲି ।

ଦ୍ଵିତୀୟ ପୃଷ୍ଠାରେ ଆଦିତ୍ୟ ପ୍ରସାଦ ପାଣ୍ଡେ ,ଅମରନାଥ ସେଗାଲ .କବି,ଭୂପେନ ହଜାରିକା ,ଗାୟକ,ବ୍ୟୋମକେଶ ମହାନ୍ତି ,ଶିଳ୍ପୀ,ହରିବଂଶ ରାୟ ବଚନ (କବି) ବୀଣା ମଜୂମୁଦାର,ଯଦୁନନ୍ଦନ ଶର୍ମା ,ବୀଣା ପାଣ୍ଡେ,ଜାନକୀ ବଲ୍ଳଭ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ (ଓଡ଼ିଶା) ଡକ୍ଟର ହରିହର ଦାଶ (କୁଳପତି) ପ୍ରଖ୍ୟାତ ରାଜନୀତି ବିଜ୍ଞାନୀ,ଦାର୍ଶନିକ,ଗୋଲାପ ପ୍ରସାଦ (ଭୂତତ୍ତ୍ୱବିଦ) ଶ୍ରୀ ଜଗଜୀବନ ରାମ (ଉପ ପ୍ରଧାନମନ୍ତ୍ରୀ) ମିନାକ୍ଷୀ ବାନାର୍ଜୀ (ବୈଜ୍ଞାନିକ) ଶ୍ୟାମ ସୁନ୍ଦର ରାୟ ,ସିଭି ଚନ୍ଦ୍ର ଶେଖର ଆଦି ବିଦ୍ୱାନଙ୍କ ପାଇଁ ବିଏଚୟୁ ଗର୍ବିତ।



ଦରିଆପାରୀ ଶିକ୍ଷାର୍ଥୀଙ୍କ ମଧ୍ୟରେ ରାଧା ବୁର୍ନୀଏର, ରୋବେର୍ତ୍ତ ଏମ.ପୀଇସିଂ, ଓସନାତଏଲକବିର (ଗାୟକ ) ଇସ୍ରାଏଲ, ପାଟ୍ରିକ ମୌତଲ (ଫରାସୀ ବାଦ୍ୟଯନ୍ତ୍ରକାରୀ ଶିଳ୍ପୀ ) ରୋବେର୍ତ୍ତ .ଏମ .ପ୍ୟର୍ସିଂ (ଦାର୍ଶନିକ ) ଆମେରିକା, ଅମର ରଣାତୁଙ୍ଗ (ଶ୍ରୀଲଙ୍କା ଗାୟକ)। ଅହମଦ ହସାନ ଡାନି (ପାକିସ୍ଥାନ ଐତିହାସିକ )ଏଇ ଅନୁଷ୍ଠାନର ଶିକ୍ଷାର୍ଥୀ। ଶିକ୍ଷାର୍ଥୀଙ୍କ ତାଲିକା ପଠନ କରି ଚକିତ ହେଲି।

ବିଶ୍ୱ ବଜାରରେ ବିଦ୍ୱାନଙ୍କ ପ୍ୟାକେଜ ୨.୨୦ କୋଟିରେ ବରାଦ ଚାହିଦା ରହିଥିଲା। ଭାଗ୍ୟକୁ ବିଶ୍ୱନାଥଙ୍କ ବରଦାନ ସାଙ୍ଗକୁ ଭଗବାନ ଗଜାନନ ,ମା ସରସ୍ବତୀଙ୍କ ଅଜସ୍ର ଆଶିଷ କ୍ୟାମ୍ପସରେ ଅଜାଡ଼ି ହେଉଥିଲା।

ଅଟୋରେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ କ୍ୟାମ୍ପସରେ ଅଟକି ଆଗକୁ ବଢ଼ିଲୁ। ତାପରେ ବିଜ୍ଞାନ ପ୍ରତିଷ୍ଠାନକୁ ସ୍ପର୍ଶ କରିଥିଲୁ। ଅନ୍ୟ ପାର୍ଶ୍ୱରେ କୃଷି ବିଜ୍ଞାନ ସଂସ୍ଥାନ ଖେତ ଦେଖିଲୁ।


ମୁହଁ ଅନ୍ଧାର ହୋଇଆସୁଥାଏ ,ଚିକିତ୍ସା ବିଜ୍ଞାନ ସଂସ୍ଥାନ, ପରିଚାଳନା ଅଧ୍ୟୟନ କଳା ସଂସ୍କୃତ ସାମାଜିକ ବିଜ୍ଞାନ ,ଆଇନ ସ୍କୁଲ, ଡ଼ିଏଭି ପିଜି ବିଏଚୟୁ ବିଭାଗରୁ ବିଭାଗକୁ ବୁଲି ଦେଖିଲୁ। ଏକାଧିକ ସ୍ଥାନରେ ଫଟୋ ନେଲୁ। ପ୍ରତିଷ୍ଠା ଦିବସ ପଞ୍ଚମୀରେ ପାଳିତ ହୁଏ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ପନ୍ଦନ (ଆନ୍ତଃ-ବିଶ୍ୱବିଦ୍ୟାଳୟ ମହୋତ୍ସବ ଏବଂ ପ୍ରତିଯୋଗିତା) ମାଲବ୍ୟ ଜୟନ୍ତୀ ,ହୋଲି ମିଳନ ସମାରୋହ ,ଜନ୍ମାଷ୍ଟମୀ ଉତ୍ସବ ଦୀପାବଳି ମହୋତ୍ସବ, ଗୁରୁ ନାନକ ଜୟନ୍ତୀ, ଦେବ ଦୀପାବଳି, ଛାତ୍ରମାନଙ୍କ ଦ୍ୱାରା ପାଳନ କରାଯାଏ। ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଥାଏ ।


ଡିନରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଠପଢା ସାଥି ଡକ୍ଟର ମୃତଞ୍ଜୟ ମିଶ୍ର ,ପ୍ରଖ୍ୟାତ ଅର୍ଥନୀତିଶାସ୍ତ୍ର ବିଦ ଦାର୍ଶନିକଙ୍କ ସହ ଭେଟଘାଟ ଆମ ଯାତ୍ରାକୁ ଉତ୍ସାହିତ କରିଥିଲା। ସେତେବେଳକୁ ଦଣ୍ଡଯାତ୍ରା ଗଂଜାମ ଜିଲ୍ଲାରେ ଧୁମ ଧାମରେ ମୁଖରିତ। ବନ୍ଧୁ ଡକ୍ଟର ମିଶ୍ର ଉପବାସ ପାଳନ କରନ୍ତି। ମୁଁ ଆଶ୍ଚର୍ଯ୍ୟ ହେଲି ! ପ୍ରଫେସର ମିଶ୍ର ତାଙ୍କ ପରମ୍ପରାକୁ ଏ ଯାଏଁ ପାସୋରି ନଥିଲେ । ଓଡ଼ିଶା ବାସିନ୍ଦା ପାଣି ପାଗ ବିଭାଗର (ମେଟ୍ରୋଲୋଜି) ବିଏଚୟୁ ମୁଖିଆ ସପରିବାରଙ୍କ ଅଭୁଲା ଆଳାପ ଆଜି ବି ମନେ ପଡ଼େ।


ବନାରସ ସ୍ଥାନୀୟ ବାସିନ୍ଦା ଭୂତତ୍ତ୍ୱ ବିଦ ଶ୍ରୀ ଗୋଲାପ ପ୍ରସାଦ ସାର ପୂର୍ବତନ ବିଏଚୟୁର ଛାତ୍ରଙ୍କ ସାକ୍ଷାତ ଆଲୋଚନା ମୋ ବନାରସ ଭ୍ରମଣ କାହାଣୀକୁ ସରସ ସୁନ୍ଦର କରିବାରେ ସହାୟକ ହୋଇଥିଲା। ବାଟ ଘାଟରେ କିଏ କେତେବେଳ ସାକ୍ଷାତ ହୁଏ। ତୀର୍ଥ ଯାତ୍ରା ପଥରେ ମନେପଡ଼େ ଦ୍ଵିତୀୟ ଥର ଦେଖା ହେବେକି’ନା !


ଅତିଥି ଭବନ ଡ଼ିନର ସରି ଆସିଥିଲା। କେତକ ଅତିଥି କରିଡ଼ରରେ ପଦ ଚାଳନା କରୁଥିଲେ। ରହଣି ଶେଷ ରାତ୍ର, ପାହାନ୍ତାରୁ ରେଳ ଯାତ୍ରା ବାରଣାସୀ କ୍ୟାଣ୍ଟରୁ ରହିଥାଏ । ଅଭ୍ୟର୍ଥ ନା କାଉଣ୍ଟରରେ ଭବନ ଭଡା ବାବଦକୁ ରାତ୍ର ପିଛା ୨୨୪୦ ଟଙ୍କା ଟିକସ ସହ ୪ ରାତ୍ର ୩ ଦିନ ପାଇଁ ୮ହଜାର ୯ଶହ ୬୦ ଟଙ୍କା ପୈଠ କଲୁ। ସକାଳର ଯାତ୍ରା ସୂଚନା ଦେଲୁ। ଭଲ ନିଦ ହେଲା।


ମଧ୍ୟରାତ୍ରରୁ ସଜାବାଜ ହେଲୁ। ପୂର୍ବର ପରିଚିତ ସୁଧୀର ଅଟୋ ଚାଳକ ଅତିଥି ଭବନ ପ୍ରାଗଣରେ ଜଗି ବସିଥିଲେ। ଡ଼ିପ ଡ଼ିପ ନିଜସ୍ୱ ଚାହାର ସ୍ୱାଦ ନେଲୁ। କାନ୍ଥରେ ଝୁଲୁଥିବା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଜୁହାର ଜଣାଇ ବିଏଚୟୁ କ୍ୟାମ୍ପସରୁ ଧୀରେ ଧୀରେ ଅପସରି ଗଲୁ।

ପଛକୁ ବାହୁଡ଼ି କହିଲୁ ସୁବିଧା ହେଲେ ଆଉଥରେ ! ସୁଧୀର ତା’ଅଟୋକୁ ଦୌଡାଇଲା। ବାରଣାସୀ କ୍ୟାଣ୍ଟ ରେଳଜଙ୍କ୍ସନ ଦୂର ୯ କିଲୋମିଟର। ସବୁଜ ମଣ୍ଡିରେ ହାଉଯାଉ ଦେଖିଲୁ ! ଗୋଲେଇ ଚୌକରୁ ଷ୍ଟେସନ ମୁହାଁ। ସୁଧୀର ସମୟ ପୂର୍ବରୁ ସୁରକ୍ଷିତରେ ପହଁଚାଇ ଦେଲା ।


୩୦୦ ଟଙ୍କା ଭଡା ବାବଦକୁ ପୈଠ କଲୁ। ଭଦ୍ର ସୁଧୀର ଚାଳକ ଧନ୍ୟବାଦ ଦେଇ ପିଏଫ ସଂଖ୍ୟା -୧ ଆରାମ ଚୌକିରେ ବିଶ୍ରାମ ନେଲୁ। ଆମର ଅସ୍ତିବିସର୍ଜନ ରେଳ ଯାତ୍ରା ପ୍ରୟାଗରାଜ ରହିଥାଏ ।



ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ଚୌରୀ ଚୌରା ଦ୍ରୁତଗାମୀ -୧୫୦୦୪ ପିଏଫ ସଂଖ୍ୟା -୧ ରେ କିଛି ସମୟ ପରେ ପହଞ୍ଚିବ। ଇଲେକ୍ଟ୍ରୋନିକ ବୋର୍ଡ଼ରେ ରହଣି ସ୍ଥଳ ବଗି ସଂଖ୍ୟା ଝଲସି ଉଠୁଥିଲା । ଆମେ ୩ୟ ଶୀତତାପ ବଗି -୯ ଆସନ ସଂଖ୍ୟା ୫୭,୫୯,୬୦ ଓ ୬୩ ନିର୍ଦ୍ଧିଷ୍ଟ ଆସନ ନେଇଥିଲୁ।

୧୨୫ କିଲୋମିଟର ଦୂର ପ୍ରୟାଗ ଜଙ୍କ୍ସନ ରହିଥାଏ । ଅବିରାମ ଗତିରେ ଛୁଟିଲା। ଦୀନ ଦୟାଳୁ ଉପାଧ୍ୟାୟ ଜଙ୍କ୍ସନ ଛୁଇଁ ଥିଲା। ତାପରେ ମାଧେ ସିଂ ,ଜ୍ଞାନପୁର ରୋଡ଼ରେ ରେଳଟି ଦ୍ରୁତଗତିରେ ଗଡୁଥିଲା। ମିନତୀ ପ୍ରଣତି ଏକ ଭଦ୍ର ଯୁବା ବ୍ୟାଙ୍କ କର୍ମଚାରୀଙ୍କ ସହ ଗପିବାରେ ଲାଗିଲେ।

ପ୍ରଣତି କାଜୁ କିସମିସ,ଡ୍ରାଏ ଫୁଡ ଗଂଥୁଲି ଫିଟାଇଥିଲେ। ରେବତୀ ମାଆଙ୍କ ଅସ୍ତିବିସର୍ଜନକୁ ନେଇ ପ୍ରଶ୍ନଉତ୍ତର ଜଟିଳ ଦୂର ହୋଇଥିଲା। ରାମବାଗ ଷ୍ଟେସନ ପହଞ୍ଚୁ ନ'ପହଞ୍ଚୁଣୁ ଆମ ଦୁହିଁଙ୍କ କଫି ପିଆ ସରି ଆସିଥିଲା। ପ୍ରୟାଗରାଜ ଜଙ୍କ୍ସନରେ ସକାଳ ୮.୧୫ ମିନଟ ସମୟରେ ପିଏଫ -୩ରେ ଓହ୍ଳାଇଥିଲୁ। ରେଳଯାତ୍ରା ଖୁବ ଆନନ୍ଦମୟ ଓ ସୁଖଦ ପୂର୍ଣ୍ଣ ରହିଥିଲା ।

୩ ଦିନ ୪ ରାତ୍ରର ବିଏଚୟୁ ଅନୁଭୂତି

MY 3 day ,4 Night Experience at BHU .

(ରଚୟିତା-ଦିଲିପ କୁମାର ନାୟକ)

ପାଦଟୀକା//Foot Notes,(ଦିପ୍ରମିପ୍ର )(ଦିଲିପ,ପ୍ରଦୀପ ,ମିନତୀ ପ୍ରଣତି)

୧. ବିଏଚୟୁ ବାରଣାସୀ ଫାଇଲ ବ୍ୟବହାର।



Comments

Post a Comment