ସାଗର କନ୍ୟା Sea-Girl




ଆୟା ଅନୁଜ ରାମାୟା ମଛୱାରୀ ଦୁହେଁ ମତ୍ସ୍ୟ ଅମଳରେ ତା’କୁଟୁମ୍ବ ପୋଷୁଥିଲେ। ବସ୍ତି ଆମ୍ମା ଦେବୀଙ୍କୁ ଦର୍ଶନ କରି ସାଗର ବୁକୁରେ ଜାଲ ଖେଳାଉଥିଲେ। ନିତିଦିନିଆ ପରିଚିତ କରାପଲ୍ଲୀ ,ନାରାୟଣପୁର,ଗୋପାଳପୁର ଭଙ୍ଗା ଗଢା ମଫସଲରେ ସପନ ଦେଖିଲେ। ରଙ୍ଗେଈଲୁଣ୍ଡାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ,ଭଞ୍ଜ ବିହାର ,ସାଇ ଯାନ୍ତ୍ରିକ ମହାବିଦ୍ୟାଳୟରେ ତା’ସୁପୁତ୍ରୀକୁ ପାଠ ପଢ଼ାଇବାକୁ ସାବିତ୍ରୀ ଆମ୍ମା କାନ କାନରେ ବେଳୁସୁଁ କହିଥିଲା।

ଜୀବନକୁ ବାଜି ଲଗାଇଲା। ବର୍ଷା ଝଡ ବା'ବତାସକୁ  ସେ ଖାତିରି କରିନଥିଲା। ବାତ୍ୟା ଫାଇଲୀନ ,ହୁଡୁହୁଡୁକୁ ସେ ଦୃଢତାର ସହ ମୁକାବିଲା କରିଥିଲା। ଦିନ କେତୋଟି ତମ୍ବୁ ଭିତରେ ଚୁଡା ଗୁଡକୁ ଆହାର କଲା। ତା 'ଭିଟାମାଟିକୁ ସରକାରୀ ସାହାଯ୍ୟରେ ମରାମତି କଲା। ଶେଷରେ ବିପର୍ଯ୍ୟୟରୁ ତା ପରିବାରକୁ ଉଦ୍ଧାର କରିଥିଲା।

ହାତ ଗଣତି ଟୁଙ୍ଗି!ମାଛ,ଶୁଖୁଆ,କଙ୍କଡ଼ା ଆଇଁଷିଆ ବାସ୍ନାରେ ତା ବେଳାଭୂମି ପରିପୂର୍ଣ୍ଣ।ବସ୍ତି ଶ୍ଵାନ ଭାରି ସଚେତନ! ପର୍ଯ୍ୟଟକଙ୍କ ସହ ଅଭ୍ୟସ୍ତ! ଲାଙ୍ଗୁଡ଼ ଜାକି ଖାଦ୍ୟ ସନ୍ଧାନରେ ଉଠା ଦୋକାନୀ ଗହଳ ଚହଳ ଦେଖି ଖୁସି।

ସକାଳୁଆ ନୀଳ ଆକାଶରେ ମାଛରଙ୍କା ପକ୍ଷୀ ପଇଁତରା ମାରୁଥିଲେ। ବାଲିମିଶା ତରଙ୍ଗରେ ତରୁଣ ତରୁଣୀ ମଗ୍ନ ରହିଥିଲେ । ପ୍ରକୃତି ପ୍ରେମୀ ପଦାଚାରଣରେ,କେହି କେହି କଫିର ମଜ୍ଜା ନେଉଥିଲେ।

ପଲିଥିନ,ଟିଣଡ଼ବା ,କୁଢକୁଢ଼ ଅସନାର କୃତ୍ରିମ ପାହାଡ଼। ଯେମିତି ନିଘାନିଷ୍ଠା କାହାର ନଥିଲା! ଖୁଣ୍ଟା ଝାଉଁ ଝୁଲୁଥାଏ। ଅସଜଡ଼ା କାଠଡ଼ଙ୍ଗା ଓ ଆହୁଲାର ସ୍ତୂପରୂପ। ନୋଳିଆ ବସ୍ତିରେ ଜାଲ ଶୁଖୁଥାଏ। ଏକା ମୂକସାକ୍ଷୀ ବତୀଘର।




ତା'ପ୍ରିୟ କାଷ୍ଠଡ଼ଙ୍ଗା ସହ କାତବାଡ଼ି ଆହୁଲା ମୁଖ୍ୟ ସରଞ୍ଜାମ। ତା ଜେଜେ କାଳର କମ୍ପାସ ସାଗର ଢେଉରେ ଦିଗ ନିର୍ଣ୍ଣୟରେ ନିର୍ଭର ଯୋଗ୍ୟ ସାଥି। ତାଠୁ ବଳି ଗଲେ ଜହ୍ନ ଓ ତାରା ଦେଖି ସମୟ ଊଂଡୁଥିଲା। ଅସୁମାରୀ ଢେଉ ପାର କରୁଥିଲା। ଏକମାତ୍ର କନ୍ୟା ନେହୁଆ କୂଳରେ ତା’ଲେଉଟାଣୀକୁ ଜଗି ବସିଥିଲା ।

ଢେଉ ତା’ଜୀବନର ଘନିଷ୍ଠ ସାଥି! ଝଡ଼ ବର୍ଷାରେ ଅମାନିଆ ଜୁଆର କୂଳ ଲଂଘୁଥିଲା।ଏକ ବିକଟାଳ କରାଳ ରୂପ ନେହୁଆର ନେତ୍ର ପୂର୍ବରୁ ଦେଖିନଥିଲା ଈଶ୍ୱରଙ୍କ ସଂରଚନା ଭିନ୍ନ ଟାକି ବସିଥିଲା!

ଆୟା ମାଛ ଧରୁଥିଲା। ସେ ଅଜ୍ଞ! ସୁନାମି ତାଣ୍ଡବ ରଚିଲା। କାଠଡ଼ଙ୍ଗା ମାଛୱାରୀ ପର୍ଯ୍ୟଟକ ନିଖୋଜ! ଜୀବନ ଓ ଜୁଆର ମଧ୍ୟରେ ଆଶଙ୍କା ଘନେଇଥିଲା। ମାଛଜାଲ କ୍ଷତିଗ୍ରସ୍ତର ସାମ୍ନା କରିଥିଲେ। ସଂଖ୍ୟା ଆକଳନରେ ଏକ ସମସ୍ୟା ଉପୁଜିଲା। ପିଲା ଦିନେ ଶୁଣିଥିଲା "ଆମ୍ମା ଦେବୀ ", ତ୍ରାଣ କର୍ତ୍ତା! ବସ୍ତିର ଆମ୍ମା ଦେବୀଙ୍କ ମଣ୍ଡପରେ ନେହୁରା ହେଲା। ଗୁହାରି ପଡିଲା। ସନ୍ଧ୍ୟାରେ ଆଳତି ଓ ବହୁବାର ଘଣ୍ଟି ବଜାଇଲା। ତା’ଆୟାର ଜୀବନ ସୁରକ୍ଷା ପାଇଁ ଶେଷରେ ମାନସିକ ରଖିଲା।

ସୁନାମି ତାଙ୍କୁ କେଉଁ ଠିକଣାରେ ରଖିଥିବ ? ବର୍ଷ ପରେ ବର୍ଷ ଫେରିବା ପଥକୁ ସେ ଜଗି ବସିଥିଲା। ଆଉ କେତେ ଦିନ ଉପାସରେ ବୃଦ୍ଧା ସାବିତ୍ରୀ ଆମ୍ମା ଉପରେ ସେ ଦାଉସାଧିବ? ତା’କୌଳିକ ବୃତ୍ତିରେ ମନଦେଲା। ଶେଷରେ ନେହୁଆ ଡ଼ଙ୍ଗାର ମଙ୍ଗ ସଳଖିଲା। ଖାଦ୍ୟ ଅଭାବରୁ ତା'ପରିବାରକୁ ରକ୍ଷାକଲା। ଅନ୍ଧକାର ଜଳସ୍ତର ରହସ୍ୟମୟୀ! ଅନ୍ତୁଡ଼ି ଶାଳକୁ ସୂର୍ଯ୍ୟକିରଣ ଛୁଇଁ ନଥିଲା। ନେହୁଆ ଢେଉ ପ୍ରତି ଆକର୍ଷିତ ହୋଇଥିଲା । କୂଳରେ ତରଙ୍ଗର କୋମଳ ଗର୍ଜନ ଶୁଣି ଦୁନିଆକୁ କଳ୍ପନା କଲା।

ଫେରିଆସ! ଫେରିଆସ!ଫେରିଆସ ସମୁଦ୍ର ତଳକୁ!ଅକୁହା ଜୀବନର ଯନ୍ତ୍ରଣା ଫୁସଫୁସ ଶବଦରେ କିଏ ଶୁଣାଉଥିଲା!

କିନ୍ତୁ ଝଡ଼ର ରାତ୍ର ପର୍ଯ୍ୟନ୍ତ ସେ ପ୍ରକୃତରେ ଶୁଣି ନଥିଲା! ଏକସ୍ୱର ସମୁଦ୍ର ଗର୍ଭରୁ କିଏ ଠାରି ଦିଏ? ସେ ସହଜରେ ହଜମ କରିପାରି ନଥିଲା । ତାର ସର୍ବାଙ୍ଗ ଶରୀର ଥରିଉଠିଲା! ସେ ବୁଝି ପାରୁନଥିଲା ! ଧୀରେ ଧୀରେ ବ୍ୟବହାରିକ ପରିବର୍ତ୍ତନ ଦେଖିବାକୁ ମିଳିଲା। ଡ଼ଙ୍ଗା ଚତୁଃପାର୍ଶ୍ୱରେ ଶୁଣା ଯାଇଥିଲା। ଏକ ଅଲୌକିକ ଘଟଣା ଅଙ୍ଗେ ନିଭେଇଲା । ସାହସିକତା ସନ୍ଧାନରେ ଡ଼ଙ୍ଗାକୁ ପରିଚାଳିତ କଲା ।

ଆକାଶରେ କଳାହାଣ୍ଡିଆ ମେଘ ଘଡ଼ଘଡ଼ି ଶବ୍ଦରେ ତାର ହୃଦସ୍ପନ୍ଦନ ବଢିଲା। ଭୟଙ୍କର ବାତ୍ୟାର ଆକାର ସେତେ ବେଳକୁ ନେଇ ସାରିଥିଲା। ତା’ଡ଼ଙ୍ଗା ନିୟନ୍ତ୍ରଣରୁ ବାହାର! ଉପାୟ ଶୂନ୍ୟ ହୋଇ ପଡିଲା! ଜୀବନ ମୃତ୍ୟୁ ସହ ଲଢେଇର ପ୍ରୟାସ ଜାରୀ କଲା। ସାର୍କ ମାଛ ଅଶାନ୍ତ ଜଳରାଶିରେ ତା'ଲାଙ୍ଗୁଡ଼କୁ ବାରମ୍ବାର ଛାଟୁଥିଲା। ଭୋଅଳେସର ବିକଟାଳ ଶବଦରେ ଏକା ଥରକେ ସେ ପିଳେହି ପାଣି! ଛାତିଥରା ବିସ୍ମୟକାରୀ କାହାଣୀ! ଗଭୀର ଅଶାନ୍ତ ସମୁଦ୍ରର ରୁଦ୍ରରୂପ ! ଜୀବନ କେଉଁ କ୍ଷଣି ଉଡ଼ିଯିବ! ବସ୍ତିର ଆମ୍ମା ଦେବୀଙ୍କୁ ସ୍ମରଣ କଲା। ନେହୁଆ କାତ ବାଡି଼କୁ ଭରଷା କଲା । ବର୍ଷା ଆଡକୁ ଚାହୁଁ ଚାହୁଁ ପୁଣି ସେ ପୁରୁଣା ସ୍ୱର ଶୁଭିଲା। "ନେହୁଆ ତୁମେ ଆମ ପାଖକୁ ଫେରି ଆସ" , ତା’ଡ଼ଙ୍ଗା କ୍ରମେ ଥରିବାକୁ ଲାଗିଲା।

ଢେଉ ତଳେ ଛୁପିଥିବା ରହସ୍ୟ ଓ ପ୍ରତିଜ୍ଞାର ଏକ ନିମନ୍ତ୍ରଣ ଯାହାର ନିର୍ଦ୍ଦେଶଥିଲା। ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇ ବସିଲେ। କୌଣସି ଅଦୃଶ୍ୟ ଶକ୍ତି ଇଙ୍ଗିତରେ ନେହୁଆର ଡ଼ଙ୍ଗା ସେହି ଦିଗକୁ ଭାସି ଭାସି ଯାଉଥିଲା। ଆଖି ପିଛୁଳାକେ ତା’ଡ଼ଙ୍ଗାକୁ ସମୁଦ୍ରର ଜଳ ଭଉଁରୀ ଗ୍ରାସ କରିଥିଲା। ଛାତିରେ ଦୃଢ ଆଘାତ ଲାଗିଲା। ଅତ୍ୟାଚାର ଶେଷ ସୀମାରେ ପହଞ୍ଚିଲା। କଣ୍ଠରୁଦ୍ଧ ହେବାକୁ ଲାଗିଲା। ତା’ପରେ ସମୁଦ୍ର ରାକ୍ଷସ ପୁରା ଗିଳିଦେଲା !

ନେହୁଆ ଥଣ୍ଡା ଜଳର ବରଫ ଆଲିଙ୍ଗନରେ ଫସିଗଲା। ତା’ଶରୀର ପାତାଳରେ ସ୍ଥିର ରହିଲା ! ଆତଙ୍କ ତାଙ୍କୁ ଆଘାତ କଲା ,କିନ୍ତୁ ତାଙ୍କୁ ନଡ଼ିଆ ପରି ଏକ କବଚ ଯେମିତି ଘେରି ରହିଲା। ଶାନ୍ତ ଏବଂ ପରିଚିତ ଅଭୟ ବାଣୀ ଶୁଭୁଥିଲା !

"ଭୟ କର ନାହିଁ," "ଭୟ କର ନାହିଁ," "ଭୟ କର ନାହିଁ," କିଏ ଫୁସ୍ଫୁସ୍ କରି ଏକ ଗୀତ ଗାନ କଲା।"ତୁମେ ଏକା ନୁହଁ ?" ପ୍ରତିଧ୍ୱନିତ ହେଉଥିଲା । ନେହୁଆ ଭୟରେ ଧିରେ ଧିରେ ଆଖି ଖୋଲିଲା । ସମୁଦ୍ରତଳ ସୌନ୍ଦର୍ଯ୍ୟର ଏକ ଅନ୍ତୁଡ଼ି ଶାଳକୁ ଦେଖିଲା।

ଲ୍ୟୁମାଇସେଣ୍ଟ ପ୍ରାଣୀମାନେ ତାଙ୍କ ଚାରି ପାଖରେ ନାଚିବାକୁ ଲାଗିଲେ। ସେମାନଙ୍କ ଶରୀର ରଙ୍ଗ ସ୍ୱର ସହିତ ଝଲସି ଉଠିଲା। ଅଜବ! ୱାର୍ଲ୍ଡଲି ଗଛଗୁଡିକ ସ୍ରୋତରେ ଧୀରେ ଧୀରେ ଗତି କଲା। ପ୍ଳାଙ୍କଟନ ବୃକ୍ଷ ବାହୁ ଗୁଡ଼ିକ ସ୍ୱାଗତ କଲେ। ଦୂରରୁ ସମୁଦ୍ର ତୃଣପରି କେଶଧାରୀ ଏକ ନାରୀ !

ତାଙ୍କ ଆଖିରେ ଅପ୍ରମିତ ତାରା ଆଲୁଅରେ ଯେମିତି ଝଲସି ଉଠୁଥିଲେ। ସେମିତି ଉଜ୍ଜଳ ! ଶାନ୍ତ ଏବଂ ଶକ୍ତିର ସାଗର କନ୍ୟା ପରି ପ୍ରତିଫଳିତ ହେଉଥିଲ। ଦ୍ୱାରପାଳ ଭାବେ ଅପ୍ରମିତ ଅକ୍ଟୋପସ ଘେରି ରହିଥିଲେ।

ନେହୁଆ ଭୟରେ ପଚାରିଲେ? "ତୁମେ କିଏ?" ତାଙ୍କ ସ୍ୱର ସମୁଦ୍ର ବିଶାଳତା ମଧ୍ୟରେ ଏକ ପ୍ରତିଧ୍ୱନି? ତୁମେ କିଏ? ତୁମେ କିଏ? ତୁମେ କିଏ? ମହିଳା ହସିଲେ! ତରଙ୍ଗ ପରି ତରଳ ଅଙ୍ଗଭଙ୍ଗୀ "ମୁଁ ସାଗର କନ୍ୟା ଆନିମୋନ୍ସ, ରକ୍ଷକ”,। ମୋ ଡାକ ଶୁଣିଛ,! ତୁମେ ଆମ ଦୁନିଆର ଦ୍ୱାର ଦେଶରେ ! କହିଦେବ, ସମୁଦ୍ରତଳ ଅନ୍ଧାରି କୋଠରୀର ମୋ ସାଥୀଙ୍କ ଗୁମର କଥା! ୱାଙ୍ଗଳେର, ଜେଲି ଓ ଫାରୋଗ ମତ୍ସ୍ୟ,ଫ୍ରୀଲ୍ଳେଡ଼ ଶାର୍କ ଏବଂ ସି’ଗୁଲ, ଆଦି ନାମକରଣ ଭୂ’ଲୋକଙ୍କର ଅବଦାନ।



ନେହୁଆ ଏକ ଅଦ୍ଭୁତ ଭାବନା ଅନୁଭବକଲା। ୟା’ପୂର୍ବରୁ ସେ ଆଖିରେ କେବେ ଦେଖିନଥିଲା! ନେହୁଆ ପ୍ରଶ୍ନକଲା ? ତୁମେ ସାଗର କୂଳକୁ ଆସକି ? ପ୍ରଶ୍ନ ଶୁଣି ଅକସ୍ମାତ ସାଗର କନ୍ୟା ବିସ୍ମିତ ହେଲେ ! ଉତ୍ତର ରଖି କହିଲେ ,ଅନେକ ସାଥି ବେଳେ ବେଳେ ୨ ହଜାର ମିଟର ଉପରେ ସନ୍ତରଣ କରନ୍ତି କିନ୍ତୁ ସର୍ବଦା ୬ ହଜାର ମିଟର ତଳେ ପ୍ରିୟ ଅନ୍ଧାର ଘରେ ବାସ କରନ୍ତି। ଯେପରି ନେହୁଆ ସାରା ଜୀବନ ଏହି ସ୍ଥାନ ଖୋଜୁଥିଲା। ମାର୍ଗଦର୍ଶନ ସ୍ୱରପରି ଏକ ପୁରୁଣା ବନ୍ଧୁପରି ଅନୁଭବକଲା। ଦୁହେଁଙ୍କ ସମ୍ପର୍କ ଯେମିତି ଅତି ପ୍ରାଚୀନ?

ଆୟାର ନିଖୋଜ କାହାଣୀ ଦୁଃଖରେ କହିବାକୁ ଲାଗିଲା। ଆନିମୋନ୍ସ, ନିର୍ଭର ପ୍ରତିଶୃତି ଦେଲା। ସେ ତାଙ୍କ ଆଖିର ପତାକୁ ବନ୍ଦ କରି ପୁଣି ଖୋଲିଲେ। ମୁରୁକି ମୁରୁକି ହସିବାକୁ ଲାଗିଲେ। ନେହୁଆ କିଛି ବୁଝିପାରୁ ନଥିଲା! ତୁମେ ବସ୍ତି ମଣ୍ଡପରେ ଦେବୀଙ୍କୁ ଗୁହାରୀ କରିଥିଲ? ହଁ ହଁ , ମୁଁ ଏକାଧିକ ଥର ପ୍ରାର୍ଥନା କରିଥିଲି। ଆନିମୋନ୍ସ, ଉପରୁ ତଳକୁ ମୁଣ୍ଡନାଡି ଥିଲେ। ଅଟ୍ଟହାସ୍ୟରେ ସାଗର ଜଳରାଶି ପ୍ରକମ୍ପିତ ହେଲା। କଣ ଘଟିଲା, ସେ ରହସ୍ୟ ବୁଝି ପାରିନଥିଲା? ଅସହ୍ୟ ଥଣ୍ଡାକୁ ସହ୍ୟ କରିପାରୁନଥିଲା।


ଆନିମୋନ୍ସ, କହିଲେ , ତୋ’ ବାପ ଜୀବିତ! “ତୁମେ ଏକା ନୁହଁ”, ଠିକଣା ବହୁ ଦୂରରେ! ଭୂଲୋକ ଶ୍ରଦ୍ଧାରେ ଡାକନ୍ତି “ମର୍ଗୁଇ ଆର୍କିପେଲାଗୋ ଦ୍ୱୀପ”,!

ସେ ଭାବିବାକୁ ଲାଗିଲେ,ନେହୁଆ ଭୟଭୀତରେ ପ୍ରଶ୍ନ କଲେ? ତୁମେ କଣ ଚାହୁଁଛ? ଆନିମୋନ୍ସ, ଉତ୍ତର ରଖିଲେ, “ଆମେ ଏକ ଅଭିଭାବକଙ୍କୁ ଖୋଜୁଛୁ”,! ଭୂମି ଏବଂ ସମୁଦ୍ର ସହ ଯିଏ ସେତୁ ବାନ୍ଧିବେ ! ଗଭୀର ସମୁଦ୍ରର ସ୍ୱର ଶୁଣିବେ! କଳିଯୁଗ ଜନ ସହ ଆମର କାହାଣୀ ବାଣ୍ଟି ଏକ ଆତ୍ମାର ରୂପ ନେବେ । ନେହୁଆ ଦ୍ୱିଧାବୋଧ କଲା। ସମୁଦ୍ରର ଓଜନ ତା’ଉପରେ ଯେମିତି ଚାପି ଦେଲା।

ସେ ଭୂପୃଷ୍ଠରେ ତାଙ୍କ ଜୀବନ ବିଷୟରେ ଭାବିଲେ। ଅସୀମ ଆକାଶ, ସୂର୍ଯ୍ୟର ଉଷ୍ମତା, ସାଥୀଙ୍କ ହସ। ସମୁଦ୍ର ତଳେ ଏକ ଲାଳସା ଛନ୍ଦି ହୋଇଥିଲା। ଯାହାକୁ ସେ ଅଣଦେଖା କରିପାରନ୍ତି ନାହିଁ। ମହାନ ଆଦର୍ଶ ନାରୀ ଭାବେ ନିଜକୁ କିପରି ପ୍ରତିଷ୍ଠା କରିବେ? ସେହି ଭାବନାକୁ ଶେଷରେ ଆପଣେଇଥିଲେ। ପିତାଙ୍କ ଜୀବିତ କାହାଣୀ ମନକୁ ଆନ୍ଦୋଳିତ କରୁଥାଏ। ତା’ ସାବିତ୍ରୀ ଆମ୍ମାକୁ ଲେଉଟାଣିରେ ଶୁଭ ଖବର ଦେବ। ତା’ଜୀବନ ସାଥି ଜୀବିତ ! ତାଙ୍କ ସ୍ୱର ସ୍ଥିର ଏବଂ ସଂକଳ୍ପବଦ୍ଧ। ପରିଶେଷରେ ସେ ରାଜି ହେଲା। ଆନିମୋନ୍ସ, ହାତ ଲମ୍ବାଇଥିଲେ। ନେହୁଆ ଗ୍ରହଣ କଲାବେଳେ ତାଙ୍କ ଶରୀରରେ ଏକ ଅଲୌକିକ ଶକ୍ତିର ଉତ୍ସ ପ୍ରବେଶ କଲା।

ଆନିମୋନ୍ସ କହିବାକୁ ଲାଗିଲେ , ଦେବ ଓ ଦୈତ୍ୟ ସମୁଦ୍ର ମନ୍ଥନ କରି ଅମୃତ ଠାରୁ ଆରମ୍ଭ କରି ଗରଳ ବାଣ୍ଟି ନେଇଥିଲେ। ହେ କଳିଯୁଗର ମାନବ ! ତୁମେ ସୁଧୁରି ଯାଅ ! ଅଗଣତି ଜୀବନକୁ ଆମେ ସାମୁଦ୍ରିକ ଦ୍ରବ୍ୟ ଜଳ, ଅମ୍ଳଜାନ ,ଧନରତ୍ନ ଦେଲୁ। ମୋ ଗର୍ଭରେ ସବୁ ପର୍ଯ୍ୟାପ୍ତ କଳିଯୁଗ ଜନ ପାଇଁ ସଞ୍ଚିତ। ଭୂଲୋକଙ୍କର ପଦାର୍ଥକୁ ମୁଁ କୂଳରେ ଫେରାଇଦିଏ । ପ୍ରତିବଦଳରେ ବୋମା ,କ୍ଷେପଣାସ୍ତ୍ର , ନିର୍ଗତ ତୈଳ, ପ୍ଲାଷ୍ଟିକ, କୀଟନାଶକ ,କାରଖାନାର ନିର୍ଗତ ଦୂଷିତ ପଦାର୍ଥ ! ଅସଂଖ୍ୟ ପରିତ୍ୟକ୍ତ ବୁଡ଼ା ଜାହାଜ ମୋ ଗର୍ଭରେ ଏବେବି ! ମୋ ଶରୀରକୁ କଲବଲ ଆଉ କେତେ ଦିନ କରିବ? ଆଉ କେତେ ଦିନ ଜୁଲମ?



ଚତୁଃପାର୍ଶ୍ୱରେ ସମୁଦ୍ର ତଳ ଆଲୁଅରେ ଝଲସି ଉଠିଲା। ସେ ନିଜକୁ ସମୁଦ୍ର ସହିତ ଏକ ହେବାକୁ ଲାଗିଲେ । ଆନିମୋନ୍ସ, କହିଲେ, ଉପରି ଜଳଅଂଶ ଉତପ୍ତ! ସମୁଦ୍ର ଗର୍ଭ ଜୀବନ ରୋଗାକ୍ରାନ୍ତ ,ସୁନାମି ,ଝଡ଼ ,ଅଦିନିଆ ମେଘ ଏବଂ ଉତଳା ତରଙ୍ଗ କେବଳ ଭୂଭାଗର କୁକର୍ମ ପାଇଁ ଆମେ ଦୁଃଖିତ। ତୁମେ ସଚେତନ କରିପାରିବକି ? ତା’ର ଆତ୍ମାର ରହସ୍ୟ ଜଡିତ ହେଲା। ଉପର ଝଡ଼ କମିବକୁ ଆରମ୍ଭ କଲାବେଳେ ସମୁଦ୍ର ତାଙ୍କୁ ମୁକ୍ତକରି ଧୀରେ ଧୀରେ ଜଳରାଶି ପୃଷ୍ଠକୁ ଫେରାଇଥିଲା।

ତା’ର ହୃଦୟ ନୂତନ ଉଦ୍ଦେଶ୍ୟରେ ଉଜ୍ଜ୍ୱଳ ସ୍ୱର ତାଙ୍କ ସହିତ ଥିଲା। ଆତ୍ମାର ଗଭୀରତାରେ ନିରନ୍ତର ସାଥୀ। ତା ଡ଼ଙ୍ଗାର ରଙ୍ଗ ବାଦାମୀରୁ ରୁପେଲିକୁ ବଦଳିଥିଲା। ସେ ଅଜଣା ମର୍ଗୁଇ ଆର୍କିପେଲାଗୋ ଦ୍ୱୀପ ମାର୍ଗକୁ ଅନୁସରଣ କଲା। ତା’ ଅଲୌକିକ ଆତ୍ମାର ସ୍ୱର ଦ୍ଵୀପରେ ଘୁରି ବୁଲିଲେ। ଆୟା! ଆୟା! ଆୟା! ସ୍ୱର ଦ୍ଵୀପରେ ପ୍ରତିଧ୍ବନିତ କଲା। ଆୟା କାନରେ ଖିଡ଼ିଖିଡ଼ି କରିଥିଲା। ତା’ ନେହୁଆର ସ୍ୱର! ବହୁବର୍ଷ ପରେ ସେ ଶୁଣି ପାରିଥିଲା। ଅନ୍ୟ ଧୀବରଙ୍କୁ ଶୁଭୁନଥିଲା ! ଫେରି ଆସ କୂଳକୁ! ଫେରି ଆସ କୂଳକୁ! ଫେରି ଆସ କୂଳକୁ! ଅଭୟ ବାଣୀର ଡ଼ାକ! ସେ ଶୁଣିବାକୁ ପାଇଲା। ନେହୁଆ ଠାରିଲା କିନ୍ତୁ ଆୟା ଚିହିଁ ପାରିନଥିଲା। ସେ ଯୁବା ବୟସୀ ରୁପସୀ। ଆୟାକୁ ପୁଣି ଡ଼ାକ ପକାଇଲା। ସେ ଧୀରେ ରୂପେଲି ଡଙ୍ଗାକୁ ସ୍ପର୍ଶ କଲା।

ଇଂରାଜୀ ୩ଟି ଅକ୍ଷର ଏ. ୱାଇ.ଏ. ଲିପିବଦ୍ଧରୁ ସେ ଜାଣିଲା। ସେହି ପୁରୁଣା ଡ଼ଙ୍ଗା! ଦୁହେଁ ବାହୁଡ଼ାଣି ଡ଼ଙ୍ଗାର ଯାତ୍ରୀ। ସମୁଦ୍ର ଗର୍ଭ ଜଳରାଶିର ବେଦନାର କାହାଣୀ ଶୁଣାଇଥିଲା। କେମିତି ତା ପରିଚିତ ଘାଟକୁ କ୍ଷିପ୍ର ବେଗରେ ପହଞ୍ଚିବେ ? ଏକ ରହସ୍ୟ ଆନିମୋନ୍ସ,ଙ୍କ ଆତ୍ମା ଛୁପିଥିଲା !

 



ନୋଳିଆ ବସ୍ତି ମଣ୍ଡପରେ ମୁଣ୍ଡିଆ ମାରି ନେହୁଆ ଆମ୍ମା ସ୍ୱର ଛାଡ଼ିଲା। ସାବିତ୍ରୀ ଆମ୍ମା ତା’ଗେଲବସର ନେହୁଆ ସାଥିରେ ତା’ପ୍ରିୟ ଜୀବନ ସାଥିକୁ ଆଖିର ଲୁହକୁ ନିୟନ୍ତ୍ରଣ କରିପାରିନଥିଲା। ନେହୁଆ ସେ ଆନିମୋନ୍ସର କଥାକୁ ଭୁଲି ନଥିଲା। ଋତୁର ରୀତିରେ ସ୍ୱାଭାବିକ ପରିବର୍ତ୍ତନ ଘଟିଲା। ବିପର୍ଯ୍ୟୟର ଅବସାନ ଘଟିଲା। ମଣିଷ ଓ ପ୍ରକୃତିର ସନ୍ତୁଳନ ଘଟିବାକୁ ଲାଗିଲା। ସେ ଭୂଭାଗରେ ଯୁବଯୁବା ପର୍ଯ୍ୟଟକ ମନ୍ତ୍ରୀ, ଯନ୍ତ୍ରୀ ,ବିଧାୟକ, ସାଂସଦ, ଜନ ପ୍ରତିନିଧିଙ୍କୁ ଅବଗତ କଲା। ଅଂଚଳ ସାରା ପବନ ବେଗରେ କାହାଣୀଟି ତ୍ୱରିତ ହେଲା। ଜାଗୃତି ପାଇଁ ଅଂଟା ଭିଡ଼ିଲେ ,ଆମ ପରିମଳ ଆମରି ବଳ ସମୁଦ୍ର ଉପକୂଳରେ ବିଜ୍ଞାପନମାନ ଉଚ୍ଚଉଚ୍ଚ ସ୍ତମ୍ବରେ ଝଟକିଲା।

ସ୍ଥାନୀୟ ପ୍ରଶାସନ ଜନ ସଚେତନ ହେଲେ। ନେହୁଆ ଭୂମଣ୍ଡଳ ଓ ସମୁଦ୍ର ମଧ୍ୟରେ ଏକ ସେତୁ ପାଲଟିଗଲା। ସେ ସମୁଦ୍ରକୁ ଯାତ୍ରା କଲେ। ସେମାନଙ୍କ ସହିତ ଗଭୀରର କାହାଣୀ ବାଣ୍ଟିଲେ। ତାଙ୍କ ସ୍ୱର ସମୁଦ୍ର ରହସ୍ୟରଏକ ପ୍ରମାଣ। ସମୁଦ୍ର ହୃଦୟ ତାତିର କାହାଣୀ। ଏକ ରହସ୍ୟମୟୀର ସ୍ୱର ଓ ଶାନ୍ତ ମୂହୁର୍ତ୍ତରେ ଏକ ମାର୍ଗକୁ ଇସାରା ଦେଇଥିଲା। ନେହୁଆ ସର୍ବଦା ସମୁଦ୍ରର ବେଦନା ଓ ସଚେତନ ଭୂଜନଙ୍କ ମଧ୍ୟରେ ସେତୁ ବନ୍ଧନରେ ସଫଳତା ପାଇଲେ।


ସାଗର କନ୍ୟା Sea Girl


(ରଚୟିତା-ଦିଲିପ କୁମାର ନାୟକ)


Comments