ଘୁମୁସର ଇଲାକାର ବାବନପୁର ଏକ ମଫସଲ ଗାଁ । ଚତୁଃପାର୍ଶ୍ୱରେ ସବୁଜ ଶ୍ୟାମଳ କ୍ଷେତ ଫସଲର ଢେଉ ନାଚୁଥାଏ । କେଉଁ କାଳର ମୁଣ୍ଡିଆ ତା’ପାର୍ଶ୍ୱରେ ଧୂଆଁ ନିର୍ଗତ ହେଉଥାଏ। ଚିନିକଳ, ଗୁଡ ବାସ୍ନାରେ ଅଞ୍ଚଳ ସାରା ମହକୁ ଥାଏ। ବର୍ଷରେ ଛଅ ମାସ ଅନ୍ୟ ଦିନରେ ନିରବ! ପ୍ରଥମରୁ ଦଶମ ଶ୍ରେଣୀ ଶିକ୍ଷାର ବତୀଘର ଗାଁରେ ଉପଲବ୍ଧ। ଉଭୟ ବାଳକ ,ବାଳିକା ବିଦ୍ୟାଳୟର ପିଟା ଘଣ୍ଟାରୁ ସମୟ ବାରି ହେଉଥାଏ।
ତାଠୁ ବଳି ଗଲେ ଚିନି କଳ ଭୁଁ ଶବଦକୁ ଭରସା! ସକାଳୁ ସନ୍ଧ୍ୟାରେ’ଭୁଁ ‘ଅଂଚଳର ଏକ ପ୍ରମୁଖ ଅଂଶୀଦାର! କାନ୍ଥ ଘଣ୍ଟାକୁ ଖାତିରି ନଥିଲା ? ମୁମ୍ବାଇର ରାଜବାଇ କ୍ଳକ ଟାୱାର ,ହାଇଦ୍ରାବାଦର ମେହେବୁବ ଚୌକ କ୍ଳକ ଟାୱାର ସୁବିଧା ଥିଲା ନା ଯୋଧପୁର,ଭାଗଲପୁର,ଡେରାଡୁନର ଘଣ୍ଟାଘର ରହିଥିଲା। କେବଳ ଭୁଁ ଉପରେ ଶତପ୍ରତିଶତଙ୍କ ସମୟର ନିର୍ଘଣ୍ଟ ପ୍ରତି ସେକେଣ୍ଡ ସେକେଣ୍ଡର ଗଣତି ମଣତି ଗାଁ ଜନ ଲୋକଙ୍କ ଜୀବନ ଶୈଳୀର ଆବଶ୍ୟକତା।
ପୋଇରେ ହାତ ଗଣତି ପରିବହନ ଗଡ଼ୁଥାଏ। ଶଗଡ଼ ,ରିକ୍ସା ,ଟେମ୍ପୋ ଚଳାଚଳ ନିଆରା ଅନୁଭବ। ହାତଗଣତି ଫଟଫଟିଆ,ଶୂନଗାଡ଼ି ମଫସଲିଆଙ୍କ ଭାଗ୍ୟରେ ଜୁଟିଥିଲା। ଅନ୍ୟଙ୍କ ହାତରେ ନୁଖୁରା !
ରାମଚନ୍ଦ୍ର ପେଶାରେ ଜଣେ କୃଷକ ନିଶାରେ ସଂସ୍କାରକ। ସେ ଯୌଥ ପରିବାରରେ ମୁଖିଆ ଦୟାଳୁ ସରଳ ମଣିଷଟିଏ।ଗ୍ରାମାଞ୍ଚଳରେ ତାଙ୍କର ଢେର ଲୋକପ୍ରିୟତା ! ଦିନଟିର ଗାଁ’ କଥା ! ମନ୍ଦିର ଘଣ୍ଟଘଣ୍ଟି ଢେର ହଳ ବଳଦ ଲଙ୍ଗଳ ଈଷ ଘୋଷଡା ଶବଦ ଶୁଭୁଥଲା। ସୂର୍ଯ୍ୟ ଉଇଁ ସାରିଥିଲେ। ବଡ଼ି ସକାଳୁ ରାମ ଚନ୍ଦ୍ର ବିଛଣା ଛାଡିଲେ। ସେ ପଦ୍ମ ପୋଖରୀ ମୁଁହା? ଗୌଡ଼ ମଉସା , ଖଟେଇ ଦାଦା ,ହେମା ଖୁଡି ପାବଛରେ ଓ଼ହ୍ଳାଇଥିଲେ । ଏକମାତ୍ର ସ୍ନାନ ପୋଖରୀ ଯେଉଁଠି ଗାଁ ସାରା ଭିଡ଼। ପଦ୍ମପତ୍ର ଫୁଲରେ ଆଚ୍ଛାଦିତ ଚିଙ୍ଗୁଡିଆ ସବୁଜ ଦଳ ହିମ କାକର ! ଥରେ ଡୁବକୀ ମାରିଲେ ଯଥେଷ୍ଟ। ଆଞ୍ଜୁଳାଏ ଜଳ ଅର୍ପଣ ସହ ସୂର୍ଯ୍ୟ ନମସ୍କାର ରୀତିମତ ଚାଲିଥାଏ ।
ରାମଚନ୍ଦ୍ର ବାବୁ ଶୌଚସ୍ନାନ ସାରି ବାଲି ଦାଣ୍ଡରେ ଫେରୁଥିଲେ। କାଁ ଭାଁ ଅନୁସରଣ କଲେ। କଛାଟି ମାରି ଗ୍ରାମ ଦେବତୀଙ୍କୁ ଦୂରରୁ ଯୋଡି ନମସ୍କାର ମୁଦ୍ରାରେ ପ୍ରଣତି ଢାଳିଥିଲେ। ଯାହା ତାଙ୍କର ପୂର୍ବ ଅଭ୍ୟାସ। ସର ଓ ଡୁକୁଣୀ ହ୍ରଦ କ୍ଷେତ ପାଇଁ ନୁଆଁ ଉଦ୍ଦିଷ୍ଟ ପୁଷ୍କରିଣୀ ,ବାମ୍ଫି, ନେଳିଆ ମନ୍ଦିର ପୂଜା ପାଠ ,ଚତରା ଜଳ ଭୋଜିର ହରଡ଼ଡ଼ାଲି ସିଝା ପାଇଁ ଅତି ଜରୁରୀ ପଡୁଥାଏ । ପିଲାଖାଇ ଗାଡ଼ିଆ ଗାଁ ପୋଢ଼ ମଇଁଷି ଗାଈ ଗୋରୁ ଗାଧୁଆ ପାଧୁଆ ପାଇଁ ନିୟମ ରହିଥାଏ । ଅବଶ୍ୟ ତା ଗାଡ଼ିଆର ମାଛ ଭାରି ମଧୁର !
୧୦ ଘଣ୍ଟିଆ ,୨ ଘଣ୍ଟିଆ ଓ ୫ ଘଣ୍ଟିଆ ଭୁଁ'ର ଗୁରୁତ୍ୱ ବହନ କରୁଥାଏ।
ନିୟମିତ ଗୁହାଳ ପରିଦର୍ଶନ କରୁଥିଲେ। ସକାଳୁଆ ପଖାଳରୁ କ୍ଷେତକୁ ଯାଉଥିଲେ। ଅଂଚଳରେ ଜଣେ ଆଦର୍ଶ କୃଷକ ତାଙ୍କ ନିୟନ୍ତ୍ରଣରେ ଚାଷ ଜମି ଦାୟିତ୍ୱରେ ରଖିଥିଲେ। ଚାଷ ଯେମିତି ସମପରିମାଣ ଫସଲ ଅମଳ କରୁଥିଲେ। ଚାଷ ଯାହାର ଦେଶ ତାହାର , "ଜୟ ଯବାନ ଜୟ କିଷାନ ", ନାରାକୁ ଭାରି ପସନ୍ଦ କରୁଥିଲେ। ସେ ସପରିବାରକୁ ନେଇ ଦିନ ଗୁଡିକ ଆଗକୁ ନେଉଥିଲେ। ତାଙ୍ଗଡାରେ ଖୁବ ଲୋକ! ଫୁରୁସତରେ ପିଲାଙ୍କୁ ସିଲାଇ କୌଶଳ ଚିତ୍ରଅଙ୍କନରେ ସମୟ ବିତାଉଥିଲେ। ସେ ଢ଼େଗ ଡମାଳି ଶୁଣାଇବାରେ ଭାରି ଆଦର ରଖୁଥିଲେ। ଝୋଟରୁ ପଲପ ପଘା ସମୟେ ସମୟେ ବଳୁ ଥିଲେ।
ହିନ୍ଦୁ ଜନବାସୀ। ଗାଁର ଚାରିଦିଗରେ ମନ୍ଦିର ମୟ! ସେ ନିୟମିତ ଗ୍ରାମ୍ୟ ଦେବୀଙ୍କ ଗୋଟା ପଣଭକ୍ତ। ରାମ ଚନ୍ଦ୍ର ଠାକୁରାଣୀଙ୍କ ବେଢାରେ ପୂଜା ପାଠ କରୁଥିଲେ। ପ୍ରତି ସୋମବାର ମହାଦେବ,ଶ୍ରୀ ରଘୁନାଥ ମନ୍ଦିରରେ ଶ୍ରଦ୍ଧାଳୁ ଭିଡ। ଶନି ଏବଂ ମଙ୍ଗଳବାରରେ ଠାକୁରାଣୀ ସ୍ଥଳରେ ପଣାଢ଼ାଳୁ ଥିଲେ। ମନ୍ଦାର ମାଳ ଅର୍ପଣ କରୁଥିଲେ। ରାମଚନ୍ଦ୍ର ବାବୁ ବହୁ ପ୍ରତିଭାର ମଣିଷ। ୩୩ କୋଟି ଦିଅଁ ଦେବତା ! ତା'ପରେ ସାଇବାବା ଶିବାନନ୍ଦ,ରାଧେ ରାଧେ ,ଜୟଗୁଋ ,ଓଁ ଶାନ୍ତି ,କଳିକି,ଆମ୍ମା ଭଗବାନ ପ୍ରାର୍ଥନା ସଭାରେ ଶ୍ରଦ୍ଧାଳୁ ଦେଖିବାକୁ ମିଳୁଥିଲା। ଲୋଡ଼ା ପୁର୍ଣିମାରେ ମଣ୍ଡପ ନିଷ୍ପତ୍ତିର କେନ୍ଦ୍ର ବିନ୍ଦୁ ରହିଥିଲା। ଅଦାଲତ ପୂର୍ବରୁ ଆପୋଷ ମିଳାମିଶାରେ ଫଇସଲା ପାଇଁ ଅଂଚଳରେ ଟେକ ରହିଥିଲା।
କଂସା କେବଳ ମାଳମାଳ ! ସେ କାଳର ପଖାଳ ଏବର ପଖାଳ ଆକାଶ ପାତାଳ ପ୍ରଭେଦ ! ଅଂଚଳରେ ସୁନାମ ଦେଖିବାକୁ ମିଳିଲା। ରାମଚନ୍ଦ୍ର ବାବୁ ମୁଖିଆ ଭୂମିକାରେ ସଂଚାଳନ କଲେ। ମଫସଲ ହେଲେବି ଗଣତନ୍ତ୍ର ପ୍ରଥମ ସୋପାନର ପିଢ଼ି ଗ୍ରାମ ପଂଚାୟତର ମୁଖ୍ୟ ଦପ୍ତର ସଞ୍ଚାଳିତ ହେଉଥାଏ। ୧୬ ଖଣ୍ଡ ପଲ୍ଲୀଗାଁର ଜନକୁ ନେଇ ଚଳ ଚଂଚଳ ରହିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ ଆପଣେଇଥିଲେ। ସଫଳତା ଗାଁ ଜନ ଉପରେ ନ୍ୟସ୍ତ। ସାହି ସାହିରେ ପିଇବା ଜଳର ସୁଯୋଗ ମିଳିଲା। ଏକ ଆଦର୍ଶ ଗାଁ ! ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ! ଗାଁ ମେଳିର ଏକ ଉଦାହରଣ ।
ପଂକ୍ତିଭୋଜନ ଏକ ପ୍ରମୁଖ ଆକର୍ଷଣ।ଏକତ୍ରିତ ଜୀବନ ବଂଚିବାକୁ ଲାଗିଲେ। ଚିତ୍ତବିନୋଦନ କହିଲେ , ସଂକ୍ରାନ୍ତି ,ପୁର୍ଣିମା ,ମେରୁ ବୁଡ଼,ହୋଲି, ଲକ୍ଷ୍ମୀ ପୂଜା ,କୁମାର ପୁର୍ଣିମା .ଚଉଁରା ପୂଜା। ଶ୍ରୀନିବାସ ପଟ୍ଟନାୟକଙ୍କ ବାରିପଟେ କୁମାରୀଙ୍କ ଜହ୍ନିଓଷା ,ହୁଳହୁଳି ,ଜହ୍ନିଫୁଲ ଠୋଠା।
ତାଠୁ ବଳିଗଲେ ରଘୁନାଥ ମନ୍ଦିର ବେଢାରେ ଉଜାଗର ରୋଶଣି ପଟୁଆର ଆସ୍ତା ବିଶ୍ୱାସର ପ୍ରତୀକ!ରଥଯାତ୍ରା ,ବାହୁଡା,ଭାଗବତଟୁଙ୍ଗି,ଅଷ୍ଟପ୍ରହର,ନାମଯଜ୍ଞ,ଧାର୍ମିକଆଲୋଚନାରେ ଦିନ ସରିଆସେ।
ତହୁଁବଳିଗଲେ,ଗାହଣି, ଢଣକୋଇଲି,ଉଷାକୋଠି, କଣ୍ଢେଇ ନାଚ ଦାସକାଠି,ଦ୍ଵାରୀ ,ପୌରାଣିକ ନାଟକ, ଆଦି ମଞ୍ଚସ୍ଥ ହେଉଥାଏ। କେବେ କେମିତି ସରକାରୀ ସିନେମା ବୃତ୍ତଚିତ୍ର ଗାଁ ଲୋକେ ସୁଯୋଗ ପାଉଥିଲେ। ଉତ୍ତର ଦିଗରେ ଗଡ଼ଗଡ଼ା ପର୍ବତ ମୁକସାକ୍ଷୀ! ଶ୍ରୀରାମ ଭଗବାନଙ୍କ ଭକ୍ତ ଜାମ୍ଭେବ,ବରାହ ,କୃଷ୍ଣସାର ମୃଗ କିମ୍ବଦନ୍ତୀ। ଏବେବି ଅଂଚଳରେ ଅତୁଟ ବିଶ୍ୱାସ ଛୁପିଛି।
ରାମ ବାବୁଙ୍କ ଅତି ସରଳ ମାର୍ଜିତ ସାମାଜିକ ଜୀବନ ଦେଖିବାକୁ ମିଳିଥିଲା। ଗାଁ ବିକାଶ କାର୍ଯ୍ୟରେ ପୋଖତ ଆଗ ଧାଡିରେ ତାଙ୍କ ନାମ। ତାଙ୍କ ଜ୍ଞାତିକୁଟୁମ୍ବ ଶିକ୍ଷାନୁଷ୍ଠାନ ଗଢିବାରେ ସବା ଆଗ ଧାଡିରେ ଠିଆ ହେଉଥିଲେ ,ଡେନିସ ସେଣ୍ଟର ହସ୍ପିଟାଲ ନିର୍ମାଣରେ ଭୁଦାନ କରି ଜାତୀୟ ସ୍ତରରେ ଲୋକଲୋଚନକୁ ଆସିଥିଲେ। ଆର୍ଥିକ ବିକାଶ ଘଟିଲା। ସୁସ୍ଥ ସବଳ ଶରୀର କୁଶଳୀ କାର୍ଯ୍ୟ ପାଇଁ ବାଟ ଘାଟେ ଏବେବି କଥା କଥାକେ ଉଦାହରଣର ମଣିଷ। ଗାଁ’ର ପଥ ପ୍ରଦର୍ଶକ! ତାଙ୍କର ସାହସିକତାକୁ କୋଟି କୋଟି ନମସ୍କାର। କୁଆଁ ତାରା କାହାଣୀ ଆଈମା କହୁଥିଲେ,ଏବେତ ଚିନି କାରଖାନା 'ଭୁଁ' ସମାୟାନୁବର୍ତ୍ତିତାର ଏକ ସାଇରନ ରାମ ବାବୁଙ୍କ ଭରସା। ସକାଳୁ ସନ୍ଧ୍ୟା ଯାଏଁ ଭୁଁ ଶବଦ ଅଦ୍ୟାବଧି ଜୀବନ୍ତ’।
ସକାଳୁ ସନ୍ଧ୍ୟା’ଭୁଁ ଶବଦAlarm sounds from morning to Evening
(ରଚୟିତା-ଦିଲିପ କୁମାର ନାୟକ)

Comments
Post a Comment