ଟିଉସନ ମାଷ୍ଟ୍ରେ Tuition Master

 




"ଅରକ୍ଷିତକୁ ଦଇବ ସାହା ", “ଟିଉସନ ମାଷ୍ଟ୍ରେ”, ବେକାରୀ ସମସ୍ୟାରେ ଯୁଝୁଥିବା ସ୍ନାତକ କଳା ଡିଗ୍ରୀଧାରୀ! ଶ୍ୟାମଳ ବର୍ଣ୍ଣ ଯୁବକ ଉଚ୍ଚତା ପାଞ୍ଚଫୁଟ ଦଶ ଇଞ୍ଚ । ଘଞ୍ଚ କଳା ଡଉଲ ଡାଉଲ ଚେହେରା । ବୟସର ଛାପକୁ ଅମାପ ସପନର ପାହାଡ଼! ଅଖ୍ୟାତ ମଫସଲ ପ୍ରଥମରୁ ଦଶମ ଶ୍ରେଣୀ ଶିକ୍ଷା ଉପଲବ୍ଧ ଥାଏ। ହାତଗଣତି ଶିକ୍ଷକ କଳାପଟ୍ଟାରେ ଚକଖଡ଼ି ଘଷୁ ଥିଲେ। ବଳକା ଶିକ୍ଷକ ଶିକ୍ଷୟତ୍ରୀ ମୌଖିକ ଶିକ୍ଷାଦାନରେ ବ୍ୟସ୍ତ।

ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଓ ପରୀକ୍ଷା ଫଳ ଓଲଟା ! ଅଭିଭାବକଙ୍କୁ ବିସ୍ମିତ କରିଥିଲା! କିଏ କଣ ମତ ଦେଉଥିଲେ ତୁଣ୍ଡରେ ବାଡ଼ବତା ନଥିଲା। ସମୀକ୍ଷା ଶେଷରେ ଦୋଷ ଲଦା ଲଦିରେ ବୈଠକ ଶେଷ। ପିଲାଙ୍କ ଭବିଷ୍ୟତ ଭଗବାନଙ୍କ ଉପରେ ନ୍ୟସ୍ତ ରଖି ସମସ୍ତେ ଯେମିତି ଚୁପ ଚାପ ! ସରକାରୀ ତାଲିକାରେ ଶିକ୍ଷାକ୍ଷେତ୍ରରେ ପଛୁଆଗାଁ ହିସାବରେ ସ୍ପର୍ଶରେ ଝୁଲୁଥାଏ। ଗାଁ’ ଶିକ୍ଷାର ମାନଚିତ୍ର କେବେ ବଦଳିବ? ଆଶା ଆଶଙ୍କାରେ ଅଭିଭାବକ!

ଖୋଲା ମଣ୍ଡପ! ଅପାଠୁଆଙ୍କ ପାଇଁ କେତେ ସହାୟକ ହେବ? ଋତୁର ରୀତିରେ ଟିଉସନ କେନ୍ଦ୍ର ଉପରେ କୁପ୍ରଭାବ ଛିଣ୍ଡିଲା। ବର୍ଷା ଋତୁରେ ଅବା ଅଦିନିଆ ଝଡ଼ରେ ବାଧକ ସାଜିଥିଲା। ଅଘୋଷିତ ଅକସ୍ମାତ ଟିଉସନ ଠପ ! ମୁନୀ ମାଷ୍ଟ୍ରେଙ୍କ ନିକଟରେ ବିକଳ୍ପ ନଥିଲା। ଗାଁ ମୁଖିଆଙ୍କ କର୍ଣ୍ଣରେ ଖବରଟି ପହଞ୍ଚିଥିଲା। କଥାଟେ ସେଠି ଅନ୍ତ ହୋଇନଥିଲା! କିଛି ସପ୍ତାହ ଅନ୍ତରରେ କୋଠଘର ମୁନୀ ମାଷ୍ଟ୍ରେଙ୍କ ଟିଉସନ କେନ୍ଦ୍ରର ରୂପ ବଦଳି ଯାଇଥିଲା। ତା'ପରେ ଖୋଲା ମଣ୍ଡପରୁ ତ୍ରାହି ମିଳିଲା।

ସଞ୍ଜ ସକାଳେ ଦୁଇଓଳା ଟିଉସନ ସଞ୍ଚାଳନ ପାଇଁ ସୁବିଧା ମିଳିଲା। ସେ ଗଣିତ ବିଷୟ ବ୍ୟତୀତ ସେ ଇଂରାଜୀ ,ବ୍ୟାକରଣ ଓ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରିବାକୁ ଲାଗିଲେ। ପିଲାଙ୍କ ମନ ଭାରୀ କୁଣ୍ଢେମୋଟ ! ନିଜର ଜ୍ଞାନ ଓ ଶିକ୍ଷା ଦ୍ୱାରା ଜଣେ ଆଲୋକବନ୍ତି ଟିଉସନ ମାଷ୍ଟ୍ରେ ରୂପରେ ଉଭା ହେଲେ । ନିଜର ସାରଗର୍ଭ ଏବଂ ସ୍ନେହପୁର୍ଣ୍ଣ ଚିତ୍ତରେ ବାଳକ ବାଳିକାଙ୍କୁ ପଢାଇବା ଲାଗି ସିଦ୍ଧହସ୍ତ। ଶିକ୍ଷାଦାନ ଶୈଳୀରେ ସମ୍ପୂର୍ଣ୍ଣ ନୂତନତା ଦିଗ ମୁନୀ ମାଷ୍ଟ୍ରେଙ୍କ ସ୍ୱୟଂ ଗଜାନନ ଭୂମିକାରେ ଅପାଠୁଆ ଙ୍କ ସହାୟକ ହେଲେ। ଏହି ମହାନ ଶିକ୍ଷକ ତାଙ୍କର ଗୌରବମୟ ଯାତ୍ରାରେ ନିଜର ଶ୍ରମ ଓ ସମୟ ଅର୍ପଣ, ବିହାର ଖାନ ସାରଙ୍କ ଠାରୁ କୌଣସି ଗୁଣରେ କମନଥିଲା !


ପ୍ରତ୍ୟକ୍ଷ ଅଭ୍ୟାସ, ନିଷ୍ଠା ଓ ଭାବପ୍ରବଣତାର ସ୍ୱଭାବ ଶିକ୍ଷକତା ଜୀବନରେ ଗୋଟିଏ ବଡ ଆଦର୍ଶ ଉଦାହରଣ। ଗାଁ ପିଲେ ତାଙ୍କୁ ଆଦର କରନ୍ତି ଏବଂ ଜୀବନରେ ଉନ୍ନତି ଆଶା କରନ୍ତି। ଫି କୋହଳ ରହିଥାଏ। ଖବରଟି ଗାଁରୁ ଗାଁକୁ କ୍ଷିପ୍ର ଗତିରେ ପ୍ରସାରିତ ହେଲା। ଅପ୍ରମିତ ଅଭିଭାବକ ଓ ପଛୁଆ ଶିଷ୍ୟ ଶିଷ୍ୟାଙ୍କ ଲମ୍ବାଧାଡ଼ି ଗାଁ ମଣ୍ଡପରେ ଠୁଳ ହେଲେ। କୌଣସି ସରକାରୀ ରିଲିଫ ବଣ୍ଟନର ଦୃଶ୍ୟ ଭ୍ରମ ସୃଷ୍ଟି କରୁଥିଲା। ମୁନୀମାଷ୍ଟ୍ରଙ୍କ ଅଙ୍କରେ ବେଳୁସୁଁ ଦକ୍ଷତା ରହିଥିଲା। ତାଙ୍କର ଅକଲ ଓ ଫାଇଦା ପିଲାଙ୍କ ନିକଟକୁ ସହଜରେ ପହଞ୍ଚି ଯାଇଥିଲା। ଉଭୟ ଅଭିଭାବକ ଓ ସନ୍ତାନ ଖୁସି ହେବାକୁ ଲାଗିଲେ।

ଟିଉସନ କେନ୍ଦ୍ର ସମ୍ପୂର୍ଣ୍ଣ ଦଣ୍ଡମୁକ୍ତ ରହିଥିଲା। ଟୁକୁନା ପଛୁଆ ଛାତ୍ର ସେ ଏକାଧିକ ପ୍ରଶ୍ନ କରୁଥିଲା।ଯାହା ସନ୍ଦେହ ଦୂର କରିବାରେ ସହାୟକ ହେଉଥାଏ। ସେ ବିରକ୍ତି ନହୋଇ ଉତ୍ତର ପ୍ରାଞ୍ଜଳ ଭାବରେ ବୁଝାଉଥିଲେ। ଯାହା ଶ୍ରେଣୀ ପଢ଼ାରେ ସମ୍ଭବପର ହେଉନଥିଲା। ସେ ପଛୁଆ ଛାତ୍ରଙ୍କର ଭାବନାକୁ ନେଇ ଅନେକବାର ଚିନ୍ତିତ ଥିଲେ। ବାରମ୍ଵାର ସେ ଅଳସୁଆଙ୍କୁ ଜାଗ୍ରତ କରୁଥିଲେ। ସେ କେବଳ କେତକ ସରଳ ଉପାୟ ଉପସ୍ଥାପନ କରୁଥିଲେ। ଅତରିକ୍ତ ସମୟରେ ଶିକ୍ଷାଦାନ କରୁଥିଲେ। ଆନନ୍ଦରେ ପଢିବା ମାର୍ଗକୁ ସେ ଗୁରୁତ୍ୱ ଦେଉଥିଲେ। ତାଙ୍କର ବ୍ୟାପକ ଭାବାନ ଛାତ୍ରଙ୍କ ମନକୁ ପାଉଥିଲା। ପିଲେ ପଢିବା ଓ ଶିଖିବା କୌଶଳକୁ ସହଜରେ ଆପଣେଇ ଥିଲେ। ତା'ର ପ୍ରତିଫଳ ମୁନୀ ମାଷ୍ଟ୍ରେଙ୍କ କେନ୍ଦ୍ରର ସଫଳତା ଅଞ୍ଚଳରେ ଏକ ଖବର । କେବଳ ମୁନୀଙ୍କ ଉତ୍ସାହ ହସ ଖୁସିର ଶିକ୍ଷାଦାନର ପ୍ରକ୍ରିୟାକୁ ଆପଣେଇଥିଲେ।



ପିଲାଙ୍କ ପାଇଖାନାଗାର ପାଇଁ ଘୋର ସମସ୍ୟା ଉପୁଜିଥିଲା। ବାଳିକାଙ୍କ କଥା ନକହିଲେ ଭଲ! ବାଳକ ପିଲେ ଲମ୍ବା ଧାଡ଼ିରେ ଶୃଙ୍ଖଳିତରେ ଗାଁ କ୍ଷେତକୁ ବ୍ୟବହାର କରୁଥିଲେ। କିଏ କିଏ ମାଷ୍ଟ୍ରେଙ୍କୁ ଟିପା ଟିପିଣୀ କରୁଥିଲେ। ମାଷ୍ଟ୍ରେ ବହୁବାର ଲଜ୍ଜିତରେ ମୁଣ୍ଡପାତିଲେ। ଟିଉସନରୁ ନିମିତ୍ତ ଅର୍ଥରେ ମୁନୀ ମାଷ୍ଟ୍ରେ କୌଣସି ମତେ ଗୁଜୁରାଣ ମେଣ୍ଟାଉଥିଲେ। ହାତଗଣତି କେତୋଟି ବର୍ଷ ବିତିଯାଇଥିଲା।

ରଜଉତ୍ସବ ଅନ୍ତରେ ଦଶମ ପରୀକ୍ଷା ଫଳ ଘୋଷଣା ଦ୍ୱାର ଦେଶରେ ରହିଥାଏ। ପରୀକ୍ଷାର୍ଥୀଙ୍କ ଛାତି ଧଡ଼ଧଡ଼ ହେଉଥାଏ! ଫଳକୁ ନେଇ ମୁନୀ ମାଷ୍ଟ୍ରେ ବହୁପୂର୍ବରୁ ଅଙ୍କ ଦେଇ ସାରିଥିଲେ। ତଥାପି ସରକାରୀ କଟକ ବୋର୍ଡ଼ର ନମ୍ବର ଓ ନାମ ଅପେକ୍ଷାରେ। ଗାଁ ବଜାରରୁ ଗାଧୁଆ ପାହାଚ ପର୍ଯ୍ୟନ୍ତ ଅଭିଭାବକ ପରୀକ୍ଷା ଫଳକୁ ନେଇ ସବୁଠି ଚର୍ଚ୍ଚାରେ ବ୍ୟସ୍ତ ରହୁଥିଲେ ।

କିଏ କିଏ କହୁଥିଲେ ଗାଁ ଜେନା କନ୍ୟା ପ୍ରଥମ ସ୍ଥାନ ନିଶ୍ଚୟ ଉତ୍ତୀର୍ଣ୍ଣ ହେବ ? ବଳକା ଟିଉସନ ପିଲେ ଦ୍ୱତୀୟ ,ତୃତୀୟ ସ୍ଥାନରେ ରହିବେ। ପାସ ଓ ଫେଲକୁ ନେଇ ପଛୁଆ ପିଲାଙ୍କ “ଡର ଥିଲା ନା କାହାକୁ ଖାତିରି ଥିଲା” ! “ହେଲେ ହେଲା ନହେଲେ ରାଉରକେଲା “,ନୀତିକୁ ବଳେ ଆପଣେଇବେ ! ଦେଖୁ ଦେଖୁ ଫଳ ପ୍ରକାଶନ ଖବରଟି ବିଜୁଳୀ ବେଗରେ ଗାଁ ସାରା ବ୍ୟାପିଯାଇଥିଲା। ସଫଳତା ହାର ନବେ ପ୍ରତିଶତ ! ତାଙ୍କ ଅବଦାନରେ ଗାଁ ସାରା ଅବିଭାବକ ସମୂହ ଅଣ୍ଟା ଭିଡ଼ିଥିଲେ ମୁନୀ ମାଷ୍ଟ୍ରେଙ୍କୁ ଶୋଭାଯାତ୍ରାରେ ପ୍ରଶଂସାରେ ପୋତି ପକାଇଲେ। ଅନେକ ଉପହାରର ଅଧିକାରୀ ହୋଇପାରିଥିଲେ। ଗାଆଁ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ପରିଚୟ ଅଛପା କାହାକୁ ନଥିଲା ।

ନରସିଂହ ସାହୁ ହୋଟେଲ ଗାଁ ହୋଟେଲ ମାଲିକ ବହୁ ପରିମାଣରେ ଲଡୁ ,ବଲ୍ଲଭ ଥାଳି ଥାଳି ସଜେଇଥିଲେ। ଦୁଇପଇସା ରୋଜଗାରରେ ବୃଦ୍ଧି ଘଟିବ? ମହାପାତ୍ର ହୋଟେଲ ରେ ରସଗୋଲା , ମେରୁ ଓ ମହାବାରୁଣୀ ବୁଡ଼ ଯାତ୍ରାଠୁଁ କମ ହେବ? ପରୀକ୍ଷା ଫଳରେ ମିଠେଇ ବଣ୍ଟନ ମାଷ୍ଟ୍ରେଙ୍କ ଟିଉସନର ଏକ ପରମ୍ପରା ରହିଥିଲା। ସ୍ୱାଦ ନେବା ପାଇଁ ଗାଁର ଭଦ୍ର ,ଉଚ୍ଚଶିକ୍ଷିତଙ୍କୁ ବହୁପୂର୍ବରୁ ମାଷ୍ଟ୍ରେ ସୂଚନା ଦେବାରେ ତାଙ୍କ ନରମ ଭାବ ପ୍ରବଣତା ପ୍ରକାଶ କରୁଥିଲେ। ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୟ ପ୍ରାଥୀଙ୍କ ସପକ୍ଷରେ ମିଠେଇ ବଣ୍ଟନର ଭ୍ରମ ଦେଖିବାକୁ ମିଳିଲା। ହାସ୍ୟ ଖୁସିର ଆସାର ସଫଳତାର ଖବର ଦ୍ରୁତ ଗତିରେ ପ୍ରସାରିତ ହେବାକୁ ଲାଗିଲା ।

ଦେଖୁ ଦେଖୁ ବୟସ ତିରିଶି ବର୍ଷକୁ ଟପିଥିଲା। ଅବାଡୁଆ ପୁଅର ବିବାହ ପାଇଁ ଅନେକବାର ପରାମର୍ଶ ଦେଉଥିଲେ । ଜନ୍ମିତ ପିତା ମାତା ବ୍ୟସ୍ତ! ତାଙ୍କ ଦାୟିତ୍ବରୁ କିପରି ମୁକୁଳିବେ? ସୁନାନାକୀ ପାତ୍ରୀଟିଏ ଚୟନ ପାଇଁ ମାଆ ବହୁବାର କହି ଆସୁଥିଲେ। ସେ କର୍ଣ୍ଣପାତ କରୁ ନଥିଲେ। ସମୟ ସମୟ ଚକ୍ରରେ ହାତକୁ ଦୁଇ ହାତ ବନ୍ଧନରେ ଯୋଡ଼ି ହୋଇଯାଇଥିଲେ। ଅସଲ ଆର୍ଥିକ ବୋଝରେ ସେ ଲଦି ହୋଇଯାଇଥିଲେ।

ଏକମାତ୍ର ବୃତ୍ତି ଟିଉସନ! କେଉଁ କାଳରୁ ଶଙ୍ଖ ଫୁଙ୍କିବା ଶୈବ ପୀଠରେ ପୂଜା ପାଠ ତାଙ୍କର ପ୍ରଥା ପରମ୍ପରା ରହିଆସିଥିଲ। ମାସିକ ଟିଉସନ ଫି କୋଡ଼ିଏ ଟଙ୍କାରେ ସ୍ଥିର କରିନେଲେ। କିଛିଟା ମାତ୍ରାରେ ଆର୍ଥିକ ଯନ୍ତ୍ରଣାରୁ ମୁକ୍ତି ପାଇଲେ। ଧର୍ମପତ୍ନୀ ଉଚ୍ଚ ଶିକ୍ଷିତା ବେକାରୀ ସମସ୍ୟାରେ ସେ ମୁନୀ ମାଷ୍ଟ୍ରେଙ୍କ ଜୀବନର ସାଥି । ବର୍ଷ ପରେ ବର୍ଷ ବିତିଯାଇଥିଲା।

ଠିକା କିରାଣୀ ଭାବରେ ସେ ସ୍ଥାନୀୟ ବିଦ୍ୟାଳରେ ନିଯୁକ୍ତି ପାଇଥିଲେ। କିନ୍ତୁ ତାଙ୍କର ଦକ୍ଷତାରେ ସେ ଶିକ୍ଷାଦାନରେ ମନ ନିବେଶ କରୁଥିଲେ। କଟକଣା ଭିତରେ ତାଙ୍କ ଟିଉସନ ଧାରାବାହିକତାରେ ଆଞ୍ଚ ଆସିନଥିଲା। ଗୁରଦିବସ କେନ୍ଦ୍ରରେ ଧୁମ ଧାମରେ ପାଳିତ ହେଲା। ସରକାରୀ ଶିକ୍ଷକ ଏତାଦୃଶ୍ୟ ଦେଖି ମନ ପାଣିଚିଆ ହୋଇଯାଉଥିଲ। ସେତିକିରେ ସିମୀତ ନଥିଲା ! ଗଣେଶ ପୂଜାଠାରୁ ସରସ୍ବତୀ ପୂଜାର ଆସର କେନ୍ଦ୍ରରେ ମହାଆଡ଼ମ୍ବର ପୂର୍ଣ୍ଣରେ ପାଲିତ କରୁଥିଲେ। ବର୍ଷରେ ଥରେ ବଣଭୋଜିର ଆୟୋଜିତ ହେଉଥିଲା। ହସ ଖୁସିରେ ମନଦେଇ ଟିଉସନ ପିଲେ ଭଲ ପାଠ ପଢିବାକୁ ଲାଗିଲେ। ସରକାରୀ ବିଦ୍ୟଳୟ ଠାରୁ କୌଣସି ଗୁଣରେ କମ ନଥିଲା।

“ଆମେ ଦୁଇ ଆମର ଦୁଇ”, ନୀତିକୂ ସେ ଆପଣେଇଥିଲେ। ପରିବାର ସଂଖ୍ୟା ଏକରୁ ଦୁଇ ସଂଖ୍ୟାକୁ ବୃଦ୍ଧି ଘଟିଲା। ଘରେ ବୃଦ୍ଧ ପିତାମାତା ମିଶାଇ ଅଙ୍କ ଛ’କୁ ସ୍ପର୍ଶ କରିଥିଲା। ସେ ଋଣଗ୍ରସ୍ତରେ ଛନ୍ଦି ହୋଇପଡ଼ିଲେ। ତେଜରାତି ଦୋକାନରୁ ବାକି ଟିପା ଖାତାରେ ଜିନିଷ ଓ ତାର ମୂଲ୍ୟ ଲେଖିଦେଇ ଫେରିଆସୁଥିଲେ। ବଳ ପାଇଲେ ସେ ବର୍ଷକେ ଥରେ ଅବା ଦୁଇଥର ବକେୟା ପୈଠକରି ଲଜ୍ଜିତ ମୁଖରେ ଘରମୁହାଁ ହେଉଥିଲେ। ମୁକୁଳିବାକୁ ଅନ୍ୟପନ୍ଥା ନଥିଲା।

ପ୍ରତି ଗୁରୁବାର ସନ୍ଧ୍ୟାରେ ଗାଁ ଭାଗବତ ଟୁଙ୍ଗିରେ ଘଣ୍ଟାଏ କାଳ ଅତିବାହିତ କରୁଥିଲେ। ଯାହା ତାଙ୍କ ଜୀବନରେ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଥିଲା। ଭାଗ୍ୟକୁ ଧର୍ମପତ୍ନୀ ଓଡ଼ିଶା ସରକାରଙ୍କ ଅଙ୍ଗନବାଡ଼ି ସୁପର ଭାଇଜର ପଦବୀରେ ନିଯୁକ୍ତି ପାଇଲେ। ଆଶ୍ବସ୍ତି ଟିକିଏ ଅନୁଭବକଲେ। ଦୀର୍ଘ ଦଶନ୍ଧି ପରେ ମୁନୀ ମାଷ୍ଟ୍ରେ ମୁଣ୍ଡାମୁଣ୍ଡି ଅନୁଦାନ ପରିସର ଭୁକ୍ତ ହେଲେ । ତାହା’ବି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ।


ଟିଉସନ ସଞ୍ଚାଳିତ ହେଉଥାଏ । ଶତାଧିକ ବାଳକ ବାଳିକା ଟିଉସନରେ ରୁଣ୍ଡ ହେବାକୁ ଲାଗିଲେ। ପାରଦର୍ଶିତା ,ଲୋକପ୍ରିୟତା ଓ ପ୍ରତିଷ୍ଠା ଅଞ୍ଚଳରେ ବୃଦ୍ଧି ଘଟିବାକୁ ଲାଗିଲା। ଏକାଧିକ ଘର ସ୍ୱଳ୍ପ ଭଡ଼ାସୂତ୍ରରେ ନେଇଥିଲେ। ଭାର ଲାଘବ ପାଇଁ ସେ ସ୍ଥାନୀୟ ବେକାର ସମସ୍ୟାରେ ଲଢ଼ୁଥିବା ଯୁବସାଥି ନାୟକ ଓ ବାଡ଼ତୀଆ ଦୁହେଁ ସହାୟକ ହୋଇଥିଲେ।

କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପୁରାତନ ଛାତ୍ର ଛାତ୍ରୀ କାର୍ଯ୍ୟରେ ନିୟୋଜିତ ଦେଖିବାକୁ ମିଳିଲା। ଦେଶର ମୁମ୍ବାଇ , ନୂତନ ଦିଲ୍ଲୀ ,ବାଙ୍ଗଲୋର ,ହାଇଦ୍ରାବାଦ ସହରରେ ତାଙ୍କ ପ୍ରିୟତମ ପଟ୍ଟଶିଷ୍ୟ ପଟ୍ଟଶିଷ୍ୟା କାର୍ଯ୍ୟରତ। ଦରିଆପାରୀ ଆବୁଧାବି ଦୁବାଇ ସିଙ୍ଗାପୁର ମାଟିରେ ପୁରାତନ ଛାତ୍ର ଛାତ୍ରୀ। ନଣ୍ଡା ନାଣ୍ଡି ଟୁକୁଣା ରେବତୀ ସେବତୀ ଛଅ ଅଙ୍କ ବିଶିଷ୍ଟ ମୋଟା ପାଉଣାରେ ଉଚ୍ଚ ପଦବୀରେ ଅଧିଷ୍ଠିତ। କେବେ କେମିତି କଥା ଛଳରେ କହୁଥିଲେ, ଅନେକଙ୍କ ନାମ ଓ ଠିକଣା । କହିଲା ବେଳେ ତାଙ୍କର ଛାତି କୁଣ୍ଢେ ମୋଟରେ ଫାଟି ପଡୁଥାଏ ।

ବିବାହ ପର୍ବ ପର୍ବାଣୀରେ ମୁନୀ ଟିଉସନ ମାଷ୍ଟ୍ରେ ଆମନ୍ତ୍ରିତ ତାଲିକା ଶୀର୍ଷରେ ରହୁଥିଲେ। ଗାଁ ଭୌଗଳିକ ଗଣ୍ଡିରେ ପିଲାଙ୍କ ଶିକ୍ଷାର ପ୍ରସାର ଘଟିଛି। ଦଳଦଳ ପାଠୋଈ ମୁଖ୍ୟ ସଡ଼କରେ ସାଇକେଲ ଚଢ଼ି ମହାବିଦ୍ୟାଳୟ ମୁହାଁ ହେଉଥିଲେ। ଦିନଥିଲା , ହାତଗଣତି ମହାବିଦ୍ୟାଳୟ ପାଠ ପଢୁଥିଲେ। ଆଜି ବହୁଗୁଣକୁ ବୃଦ୍ଧି ଘଟିଛି। ଅନ୍ତରରେ ମୁନୀ ମାଷ୍ଟ୍ରେଙ୍କ ଅଦୃଶ୍ୟ ହାତ ଛୁପିଥିଲା।

ଦେଖୁ ଦେଖୁ ବୟସ ଷାଠିଏରେ ପହଂଚି ଯାଇଥିଲେ। ସରକାରୀ ଚାକିରିରୁ ଅବସର ନେବାକୁ ପଡ଼ିଥିଲା । କିନ୍ତୁ ଟିଉସନ ଜାରି ରଖିଥିଲେ ଯାହା ତାଙ୍କର ବ୍ୟକ୍ତିଗତ । ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସମର୍ପଣ ଓ କଠିନ ପରିଶ୍ରମ ଗ୍ରାମ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେବାରେ ତ୍ରୁଟିବାରି ହେଉନଥିଲା। ପଛୁଆବର୍ଗର ବାଳକ ବାଳିକାଙ୍କ ସଫଳତାରେ ସହାୟକ ହୋଇଥିଲେ। ଉତ୍ତମ ବାଳକ ବାଳିକାଙ୍କ ଉନ୍ନତି ରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ।

 ସେ ପ୍ରତିକୂଳ ସମସ୍ୟକୁ ପଛରେ ପକାଇ ନିଜ ଦାୟିତ୍ୱ ନିର୍ବାହ କରୁଥିଲେ। ଗାଁ ଜନଙ୍କ ଅକୁଣ୍ଠ ସମର୍ଥନରେ, ସେ ଶିକ୍ଷା ଦାନରେ ସଫଳତା ପାଇଥିଲେ। ସେମାନଙ୍କର ପ୍ରୟାସ ଏବଂ  ସମାଜର ପ୍ରଗତିକୁ ତ୍ୱରାନ୍ୱିତ କରିଥିଲେ। ଏବେବି ଟିଉସନମାଷ୍ଟ୍ରେ ସେବାରେ ମୁନୀ ମାଷ୍ଟ୍ରେ! “ବଦଳିଛି ନା ଟିଉସନ ପେଶା ନା ଶିକ୍ଷା ଦାନର ନିଶା “? “ନିଜକୁ ଜଳାଇ ଅନ୍ୟକୁ ଆଲୋକ ପ୍ରଦାନ କରିବା”, ମୁନୀ ଟିଉସନ ମାଷ୍ଟ୍ରେଙ୍କ ଅବଦାନ ଅନନ୍ୟ।


ଟିଉସନ ମାଷ୍ଟ୍ରେ Tuition Master
(ରଚୟିତା-ଦିଲିପ କୁମାର ନାୟକ)

Comments